ଶିଶୁ ଗୀତ
ଶିଶୁ ଗୀତ
ବଣ ପାହାଡରେ ସିଂହ ରହଇ
ପଶୁମାନଙ୍କର ରାଜା ବୋଲାଇ ।
ବାଈଚଢେଇର ବସା ସୁନ୍ଦର
ଝଡ ବରଷାକୁ ନଥାଏ ଡର ।
ଥୁକୁଲଥାକୁଲ ରୁମୁରୁମିଆ
ଭାଲୁ ନାନୀଟି ଭାରି ଅଳସୁଆ ।
ସବୁଠୁ ସୁନ୍ଦର ପକ୍ଷୀ ମୟୂର
ଇନ୍ଦ୍ରଧନୁ ପ୍ରାୟ ପୁଚ୍ଛ ତାହାର ।
ଦେଖ ଏ ହରିଣ ତରକା ଅତି
ଧାଇଁ ପଳାଏ ସେ ଗଲେ ତା' କତି ।
କିଚିରିମିଚିରି ଶବଦ କରେ
ଘରଚଟିଆଟି ଘର ଭିତରେ ।
ଲମ୍ବା ଲମ୍ବା ଅଟେ ମେଣ୍ଢାର ଲୋମ
ସେ ଲୋମର ନାମ ଅଟେ ପଶମ ।
ଗଛ ଡାଳେ ଲୁଚି କୋଇଲି ଗାଏ
କୁହୁକୁହୁ ତାନେ ମନକୁ ମୋହେ ।
ବିଶ୍ବାସୀ ପ୍ରାଣୀ ତା' ନାମ କୁକୁର
ଘ୍ରାଣ ଶକ୍ତି ତା'ର ଅତି ପ୍ରଖର ।
ନାଲିଆ ଥଣ୍ଟକୁ ବେକ ନାଲିଆ
ମଣିଷ ପରିକା କହଇ ଶୁଆ ।
ଅମୃତ ସମାନ ଖିର ଗାଈର
ଦହି, ଛେନା, ଘିଅ, ରାବିଡି, ସର ।
କା' କା' କରି କାଉ ରାବଇ
ପରିବେଶ ଆମ ସଫା ରଖଇ ।
