ଝୁଲୁଛି ସୁନା ମୋ
ଝୁଲୁଛି ସୁନା ମୋ
ଝୁଲୁଛି ସୁନା ମୋ ଫୁଲର ଦୋଳିରେ
ହୋଇ ନୂଆ ସଜବାଜ
କେତେ ଖୁସି ଆଣି ବରଷକେ ଥରେ
ଆସିଛି ରଜ ମଉଜ ।
ଲାଗୁନି ମୋ ସୁନା ପାଦ ତ ମାଟିରେ
ପିନ୍ଧିଛି ନାଲି ଅଳତା
ରଖିଛି ଘୋଡାଇ କୋମଳ ପତରେ
ପଡିବନି ରଙ୍ଗ ଫିକା ।
ଫୁଲି ଉଠେ ସୁନା ମନଟି ଆମର
ଖାଇ ପିଇ ବାଆ ପାଣି
ଗାଏ ସୁନା ମିଠା ରଜଦୋଳି ଗୀତ
ଆ ମିତ ବର୍ଷା ରାଣୀ ।
ସାରୁ ଗଛ ମୂଳେ ବେଙ୍ଗ ଓ ବେଙ୍ଗୁଲୀ
କରନ୍ତି କେଏଁ କଟର
ପୁଚ୍ଛକୁ ମେଲାଇ କଳାମେଘ ଦେଖି
ନାଚନ୍ତି ବନେ ମୟୂର ।
ଟପର ଟପର ବରଷିଲେ ପାଣି
ଭସାଇ କାଗଜ ଡଙ୍ଗା
ତାଳି ମାରି ସୁନା ଖୁସିରେ ନାଚିବ
କହିବ ଝରୁଛି ଗଙ୍ଗା ।
ଆକାଶକୁ ଚାହିଁ ମନକୁ ଶୁଖାଇ
ସୁନା ମୋ କରୁଛି ଅଳି
ରୁଚୁନାହିଁ ତାକୁ ମିଠା ପୋଡପିଠା
ଆରିଶା କାକରା କ୍ଷୀରି ।
ଝରୁ ଆମ ସୁନା ମୁହେଁ ରୂପା ହସ
ହସୁ ଆମ ସୁନା କ୍ଷେତ
ହେଉ ଅବପାତ ବରଷୁ ବାରିଦ
ବର୍ଷାରାଣୀ ହୁଅ ପ୍ରୀତ ।
