ସିଡ଼ି
ସିଡ଼ି
ଯେଉଁ କାନ୍ଧକୁ ସିଡ଼ି କରି
ହାତ ବଢାଇହୁଏ ଜହ୍ନକୁ ତାରାକୁ
ପାଇହୁଏ ପାପୁଲିଏ ମେଘ
ଭୂଲିଯାଏ ପ୍ରାପ୍ତିର ଉଲ୍ଲାସରେ
କାନ୍ଧର ଦରଜ କି ଦରଦକୁ
ପାଦେପାଦେ ଉପରକୁ ଉଠିଲା ପରେ
ଇଛା ହୁଏନା
ମାଟି ଆଡ଼େ ଚାହିଁବାକୁ ।
ସତରେ କେତେ ସାମର୍ଥ୍ୟ ଥାଏ
ସେ ସିଡ଼ିର
କେତେ ଥାଏ ପ୍ରେମ
ତା' ନାବାଳକ ନଈର ସୁଅରେ
ଯେଉଁଠି ଭାସିଯାଉଥାଏ
ଶୁଖିଲା ପତ୍ର ପରି
ଯେତେସବୁ ପାପ, ପ୍ରତାରଣା, ପ୍ରପଞ୍ଚ ।
କିନ୍ତୁ ଏକାନ୍ତ ଈଶ୍ବର ସମ
ସେଇ ସିଡ଼ି ନିଜକୁ ପତେଇ ଦେଉଥାଏ
ପରମାର୍ଥ ପ୍ରାପ୍ତିର
ବାଇଶି ପାହାଚ ହୋଇ ।