ଏକାଏକା
ଏକାଏକା
ରାସ୍ତା ଶୋଇଥାଏ
ପଥିକ ଚାଲଇ
ନିରବରେ ଏକାଏକା
କୋଳାହଳ ଜୀବନ ଜଙ୍ଗଲ
କାହିଁ ବନ୍ଧୁ ପ୍ରିୟ ପରିଜନ
ଇଏକି ନିର୍ଜନତା
ନିସ୍ତରଙ୍ଗ ମନ ଅଭ୍ୟନ୍ତର
ଶୁଭେନାହିଁ ସମୁଦ୍ର ଗର୍ଜନ
ମେଘର ନିର୍ଝରପଣ
ପବନ ଫୁତ୍କାର
ସବୁକିଛି ସ୍ଥିର
ଶାନ୍ତ ସମାହିତ ।
ବଞ୍ଚିବାଟା ଦୁରୁହ ବ୍ୟାପାର
ହସକାନ୍ଦ ଲୁହ ଲହୁ
ସାଂସାରିକ ଯାବତୀୟ କର୍ମ
ଚାଲିଥାଏ ଶଗଡ ଗୁଳାରେ
ଏଇଠି ଆରମ୍ଭ ଶେଷ ବି
ମଝିରେ ଯାହା
ଘାଣ୍ଟିଚକଟି ହେବା
ନିଜ ଛାଇ ଧୋକା ଦିଏ
ମାୟାବୀ ସମୟର
ମାୟାଜାଲରେ ।
ଦୁଃଖ ବଖାଣିବା
ଭାରି କଷ୍ଟ ଚିରକାଳ
କେହିବି ନଥାନ୍ତି ପାଖରେ କତିରେ
ଆବୋରିବାରେ
ଲାଭ ଖାଲି ଯାହା
କାନ୍ଧରେ ମୁଣ୍ଡରେ
ମହଣମହଣ ଦୁଃଖ ଭାର
ବଢିଚାଲିଥାଏ ।
ଛକି ଶୂନ ଖେଳରେ
ସାମୟିକ ହାରିବା ଜିତିବା
ସମୟର ଦୋଛକିରେ
ସବୁ ଜଞ୍ଜାଳକୁ
ଲୁଚାଇରଖି ହୃଦୟ ଭିତରେ
ଚାଲିବାକୁ ହୁଏ
ସୁଖି ହେବାର ଅଭିନୟ କରି ।