ପିଲାବେଳ ଧୂଳି ଖେଳ
ପିଲାବେଳ ଧୂଳି ଖେଳ
ଭାରି ଭଲ ଲାଗେ ମନେ ପଡ଼େ ଯେବେ
ପିଲାବେଳ ଧୂଳି ଖେଳ
କି ଆନନ୍ଦମୟ ନଥିଲା ସତରେ
ମାଟି ମାଆର ସେ କୋଳ !
ବାଳୁତ କାଳରୁ ଧୂଳିବାଲି ସହ
ଥିଲା ଆତ୍ମୀୟତା ଭାବ
ବୋଳି ହେଉଥିଲେ ସଙ୍ଗୀ ଗହଣରେ
କେତେ ଖୁସି ଅନୁଭବ !
ମାଆ ଯେବେ ପୋଛି ଝାଡ଼ି ପଣତରେ
ବୁଝାଏ କାଖେ ବସାଇ
ଅଝଟିଆ ଅମଣିଆ ଏ ମନଟା
ତାକୁ ବୁଝିନପାରଇ ।
ନଡ଼ିଆ ସଢ଼େଇ ଭାତ ଡାଲି ହାଣ୍ଡି
ଖାଦ୍ୟ ଯେ ଧୂଳିବାଲିର
ସାରୁ କି କଦଳୀ ପତରରେ ବାଢ଼ି
ଅଭିନୟ ଖାଇବାର ।
ମାଟିରେ ତିଆରି ଜଗନ୍ନାଥ ମୂର୍ତ୍ତି
ଶୁଖାଇ ରଙ୍ଗରେ ବୋଳି
ଇଟା ଝାଟି ମାଟି ଖେଳଘରେ ଥାପି
ପୂଜୁ ନାନା ଫୁଲ ତୋଳି ।
ଭକ୍ତି ଭାବ କିସ ମନରେ ନ ପଶେ
ହେଲେ ଜୟ ଜଗନ୍ନାଥ
ମୁଖେ ବୋଲିଥାଉ ଟିକି ହୃଦୟରେ
ଟାଣି ନେଉନେଉ ରଥ ।
ଜନ୍ଦାଖାଇ ଫଳ ନଡ଼ିଆ କଞ୍ଚିରେ
ରଥକୁ କରୁ ତିଆରି
ନଡ଼ିଆ ପତର ପେଁକାଳି ସୁର
ଦିଅଇ ହରଷ ଭରି ।
ପିଲାବେଳର ସେ ଧୂଳି ଖେଳୁ ସତେ
ଝରଇ ସମ୍ପର୍କ ମହୁ
ଚୁମୁଟାଚୁମୁଟି ରାଗ ରୁଷା ଭୁଲି
ସଭିଏଁ ଏକାଠି ହେଉ ।
ଏବେ ଧୂଳି ଖେଳ ପିଲାଙ୍କଠୁ ଦୂର
ନୁହେଁ ସରବେ ଅଧୀନ
ଅଖ୍ୟାତ ପଲ୍ଲୀର ଶିଶୁଏ କେବଳ
ମଜାଇ ରଖନ୍ତି ମନ ।
