ପକ୍ଷୀର ବିଳାପ
ପକ୍ଷୀର ବିଳାପ
ନୀଳ ଆକାଶର ନୀଳିମା ଭିତରେ
ଉଡ଼ିବୁଲେ ଡେଣା ଝାଡ଼ି,
ଖରା, ବରଷାକୁ ନାହିଁ ମୋର ଡର
ଯାଏ ବହୁଦୂର ଉଡି |
ସକାଳ ଆଗରୁ ସୂରୁଜ ପୂର୍ବରୁ
ଖାଦ୍ୟ ଅନ୍ୱେଷଣ କରେ,
ଉଡ଼ିଯାଏ କେବେ ଦୂର ବିଦେଶକୁ
ଦିନ ପରେ ଦିନ ସରେ |
ବିଗିଡି ଗଲାଣି ପରିବେଶ ସିନା
ପ୍ରଦୂଷିତ ଜଳବାୟୁ,
ଗୋଟିଏ ସ୍ଥାନରୁ ଅନ୍ୟତ୍ରକୁ ଯାଏ
ସରିବା ଆଗରୁ ଆୟୁ |
ସହ ସହ ଗଢେ କଳ କାରଖାନା
ବାହାରେ ବିଷାକ୍ତ ଧୂଆଁ,
ଯନ୍ତ୍ରଣାରେ ହୁଏ ନୀତି ଛଟପଟ
ଉଜୁଡ଼ି ଯାଏ ଦୁନିଆଁ |
ବସାଟିଏ ଅବା କେଉଁଠି ବାନ୍ଧିବି
ଗଛଟିଏ ନାହିଁ କାହିଁ,
ଅଟ୍ଟାଳିକା ମାନ ଗଢ଼ା ହେଉଅଛି
ଛାଇ ଟିକେ ମିଳେନାହିଁ |
ବହୁନାହିଁ ଆଉ ମଳୟ ପବନ
ନାହିଁ ଘଞ୍ଚ ବଣ ବୁଦା,
ନିଜ ସ୍ୱାର୍ଥ ପାଇଁ ସ୍ୱାର୍ଥାନ୍ଧ ମଣିଷ
କାଟି କରିଦେଲା ପଦା |
ପ୍ରତିବର୍ଷ ଆସେ ମହାବାତ୍ୟା ପୁଣି
ବର୍ଷା ହୁଏ ଅନର୍ଗଳ,
ଉଜୁଡାଇ ଦିଏ ଧନ ଜୀବନକୁ
ଚାହିଁ ରହୁ ଜଳଜଳ |
କେବେ ପୁଣି ହୁଏ ଭୂମିରେ କମ୍ପନ
ଘର ଦ୍ୱାର ଲୋଟିପଡେ,
ଗଛ ନାହିଁ ବୋଲି ଏ ମହା ସଙ୍କଟ
ଦେଖାଦିଏ ଚାରିଆଡେ |
କେତେ ଶିକ୍ଷାଦେଲେ ଚେତିବ ମଣିଷ
ବୁଦ୍ଧି କରୁନାହିଁ କାମ,
ପ୍ରକୃତିର କୋପ ଆଗରେ ମଣିଷ
ଅଟେ ସିନା ଧୂଳି ସମ |
ସୁଧୁରି ଯାଅ ହେ ବିଶ୍ଵବାସୀ ଗଣ
ପକ୍ଷୀ କରେ ନିବେଦନ,
ତୁମେ ତ କାଟୁଛ ସୁଖେ ନିତି ଦିନ
ମୋତେ ଦିଅ ବୃକ୍ଷ ଦାନ |