ଝିଅଟିଏ ବଞ୍ଚିଲେ ଦୁନିଆଁ ହସିବ
ଝିଅଟିଏ ବଞ୍ଚିଲେ ଦୁନିଆଁ ହସିବ
ନାରୀ ଦୁଃଖର ସ୍ରୋତରେ ଭାସି, ପରର
ସୁଖକୁ ସାଉଁଟି ନିଏ
ଲୁହ ଲହୁ ସବୁ ନିଜେ ପିଇ ଦେଇ, ଅନ୍ୟ
କୁ ସେ ସଦା ହସାଏ |୧|
ସେ ପ୍ରେରଣାର ଉତ୍ସ, କରୁଣାମୟୀ ଓ
ସହିଷ୍ଣୁତା ଗୁଣରେ ପୂର୍ଣ୍ଣ
ଉଦାରତା, ସ୍ନେହ, ମମତାର ଭଣ୍ଡାରେ
ପୂରିଛି ତାହାର ମନ |୨|
ନାରୀ, କିଏ କହେ ସେ ନାରାୟଣୀ, ସେ
ପରା ସର୍ବଂସହା
ସେ ହୁଏ ଜାୟା, ଜନନୀ ଓ ଭଗିନୀ,
ଏହା ଜାଣନ୍ତି ଦୁନିଆଁ |୩|
ନାରୀର ଅନ୍ୟ ନାମ ଅଟଇ ଦୁହିତା,
ଦୁଇ କୁଳ ପାଇଁ ହିତା
ନିଜକୁ ଜାଳି କରେ ଆଲୋକିତ, ସେ
ଅଟଇ ଜଗତ ଜିତା |୪|
ନାରୀ ଗର୍ଭୁ ନାରୀ ଜନମ ନିଏ, ସେହି
ରୁହେ ଚାରିକାନ୍ଥେ
କୁଳର ମର୍ଯ୍ୟାଦା ବ୍ରତ ନାମେ, କଡା ନଜର
ଥାଏ ତା ଗତି ପଥେ |୫|
ସେ ଚାଲେ ଏଠି ପର ରୁଚି ନେଇ, ନିତି
ଦିନ କରଇ ଗତି
ନିଜ ରୁଚିକୁ,କରୁଥାଏ ହତ୍ୟା ସର୍ବଦା
ପଥର କରିଣ ଛାତି |୬|
ସମାଜରେ ତାହାର ବ୍ୟକ୍ତି ସ୍ୱାଧୀନତା
ହୋଇଛି ବୃଥା ଛଳନା
ହାଣ୍ଡିଶାଳ ସେଵା ନକଲେ ତ ସେହି
ପାଏ ଅନେକ ନିର୍ଯାତନା |୭|
ପୁଅ ଝିଅଙ୍କର, ଏକା ଅଧିକାର, ଏହା
ଅଛି ଆଇନ ବହିରେ
ସଭିଏଁ ଭାଷଣେ କୁହନ୍ତି, କାନ୍ଦନ୍ତି କୁମ୍ଭୀର
କାନ୍ଦଣା ଅଯଥାରେ |୮|
କିଛି ନାରୀ ତୋରାଣି କଂସାରେ ନିତି
ଯୁଝୁଥାଏ ତା ଭାଗ୍ୟ ସହ
ଦୁଶ୍ଚିନ୍ତାରେ ଅହରହ ସିଝୁଥାନ୍ତି ତଥାପି
କେବେ ନହୁଏ ଅସହ୍ୟ |୯|
ବାସ୍ତବ, କାମୁକ ପିପାସା, ବସେ ରୂପ
ଚକଚାକ୍ୟର ଚଉପାଶେ,
ଭୋଗ ଲାଳସାରେ, ମତ୍ତ ହୁଏ ତ
ାଙ୍କର
ବିକାର ବିକୃତି ଆଶେ |୧୦|
ବାସ୍ତବ, ପ୍ରୀତିରେ ପ୍ରତାରଣା, ବିଶ୍ୱାସେ
ସେମାନେ ବିଷ ଦିଅନ୍ତି
ପୁଅକୁ ଆଦର, ଝିଅକୁ ବୋଝ, ଝିଅ ଘିଅ
ବୋଲି ସର୍ବଦା କହନ୍ତି |୧୧|
ପ୍ରଜାପତିର ଡେଣାକୁ ସିନା ରୋକନ୍ତି
ପୁରୁଷ କୈନ୍ଦ୍ରିକ ସମାଜ
ତା ପରିସୀମା ବ୍ୟାପ୍ତ, ତାହା କଅଣ କରି
ପାରିବକି କେହି ତୁଚ୍ଛ |୧୨|
ସହନଶୀଳତା ଧୈର୍ଯ୍ଯ ଧରିବାକୁ ପୁରୁଷ
ଦିଏ ଖାଲି ପ୍ରବଚନ
ଏମନ୍ତ କଥା କହିବାରେ ହାତକୁ ଗୋଡକୁ
ତାଙ୍କୁ ଲାଗୁଛି ବା କଅଣ |୧୩|
ନାରୀ ହିଁ ଚେତନା, ସେ ରୁହେ ପ୍ରେରଣା
ମୟୀ ପ୍ରତ୍ୟେକ ନରର
ସେ ହିଁ ଶକ୍ତି, ସେ ହିଁ ଭାବନା, ଉପମା
ମୟୀ କଳ୍ପନାମୟୀ କବିର |୧୪|
କିପରି କୁହ ସଭିଏଁ, ଝିଅ ଜନ୍ମ ବୋଝ,
ପୁଅରେ ବଂଶ ରକ୍ଷା
ଏହି ଭାବନାରୁ ଯୁଗ ଏମିତି ହେଲାଣି
ଝିଅ ପାଏ ନାହିଁ ସୁରକ୍ଷା |୧୫|
ଝିଅଟିଏ ପାହାଡ ଚଢୁଛି ଆକାଶେ ଉଡ଼ୁଛି,
ବୁଡ଼ୁଛି ସମୁଦ୍ର ତଳେ
ଚନ୍ଦ୍ରକୁ ମାପି ଆକାଶ ଚାନ୍ଦ ପହଁଚିଲେ
କଳବଳେ କଉଶଳେ |୧୬|
ଡାକ୍ତରାଣୀ ହୋଇ, ରୋଗୀ ସେବା କରି,
ହେଉଛି ସବୁରି ପ୍ରିୟ
ସୈନିକଟି ହୋଇ ଶତ୍ରୁ ସୈନ୍ୟ ହରେଇ
ଆଣୁଛି ଦେଶର ଜୟ |୧୭|
ଗଢ଼ୁଛି ଶିକ୍ଷିତ ସମାଜ, ଶିକ୍ଷୟତ୍ରୀ ହୋଇ,
କରଇ ଶିକ୍ଷାଦାନ
ଲୋଡା ଝିଅଟିଏର ସ୍ନେହ, ଆଦର, ଯତନ
ଆଉ ସନମାନ |୧୮|
ଅନୁରୋଧ ଏ ଅଧମ ଚିତ୍ତନର ଏତିକି
ଭ୍ରୁଣ ହତ୍ୟା କର ନାହିଁ
ଝିଅଟିଏ ବଞ୍ଚିଲେ ସାରା ଦୁନିଆଁ ହସିବ,
ଏଥିରେ ସନ୍ଦେହ ନାହିଁ |୧୯|