ଜୀବନ ଖରାଛାଇ ଖେଳ
ଜୀବନ ଖରାଛାଇ ଖେଳ
କଷଟି ପଥର ସୁଖଦୁଃଖପୂର୍ଣ୍ଣ
ଉଜାଣି ଜୁଆର ମେଳ,
ଜୀବନଟା ଅଟେ ଖରାଛାଇ ଖେଳ
ବଂଚିବାକୁ ନାହିଁ ବେଳ |
ସଂସାର ମଧ୍ୟରେ ସମ୍ପର୍କ ଫାସରେ
ବାନ୍ଧିହୁଏ ମନପ୍ରାଣ,
ଯାତନା ଯନ୍ତ୍ରଣା ସହିବାକୁ ହୁଏ
ଉତ୍ସର୍ଗ କରି ଜୀବନ |
ପରକୁ ଆପଣା କରିବାକୁ ହୁଏ
ମହମ ପରି ତରଳି,
ନିଜ ଦୁଃଖ ଭୁଲି ସୁଖ ବାଣ୍ଟିବାକୁ
ସଳିତାଟି ପରି ଜଳି |
ଏଇତ ଜୀବନ ଖେଳ ଛକିଶୂନ
ଉତ୍ଥାନ କେବେ ପତନ,
ସବୁକୁ ଆଦରି ବଢିବାକୁ ହୁଏ
ଭୁଲି ମାନ ଅପମାନ |
ଷଠୀ ନିଆଁ ଠାରୁ ଜୁଇ ନିଆଁ ଯାଏଁ
ଦିଦିନ ପାଇଁ କୁଣିଆଁ,
ପାପପୂଣ୍ୟ ଧାରେ ରଙ୍ଗମଞ୍ଚ ପରେ
ଚାଲେ ଭାବ ଦିଆନିଆ |
ପରକୁ ଆପଣା କରିବାର ପାଇଁ
ମହତ ପଣିଆ ନେଇ,
ଶେଷ ପରିସୀମା ଟପିବାକୁ ହୁଏ
ଖରାଛାଇ ଖେଳ ଡେଇଁ |