ଅଭିଶପ୍ତା ଅହଲ୍ୟା
ଅଭିଶପ୍ତା ଅହଲ୍ୟା


ଅଭିଶପ୍ତା ଅହଲ୍ୟା
ବିନୋଦିନୀ ଦାଶ
ବ୍ରହ୍ମାଙ୍କ ସୁତା ଅହଲ୍ୟା ରୂପ, ଗୁଣରେ ଅତୁଲ୍ୟା
ତ୍ରିଭୁବନେ ସମକକ୍ଷ ବର ନ ପାଇ
ପିତା ଗୌତମ ଋଷିଙ୍କୁ ସମର୍ପଣ କଲେ ତାଙ୍କୁ
ପତିପତ୍ନୀ ଆଶ୍ରମେ ଥିଲେ ସୁଖେ ରହି
ମାତ୍ର ବିହି ନ ଦେଲା ସାଥ
ପତିଙ୍କର ଅଭିଶାପେ ପଥର ସେତ ।
ସୁନ୍ଦରତାରେ ମୋହିତ ଯେଣୁ ଥିଲେ ଦିତି ସୁତ
କାମବାସ୍ନା ଚରିତାର୍ଥେ କରି ମସୁଧା
ଆସି ବ୍ରାହ୍ମ ମୁହୂର୍ତ୍ତରେ କୁଟୀରୁ ଲୁଚି ଅଦୂରେ
ରହିଥିଲେ ରବି ସହଯୋଗେ ଏକଦା
ଯାନ୍ତି ସ୍ନାନ ଉଦ୍ଦ୍ୟେଶେ ଋଷି
ଇନ୍ଦ୍ର ଗଉତମ ବେଶେ ଥିଲେ ପ୍ରବେଶି ।
ଚିହ୍ନି ନପାରି ସୁନ୍ଦରୀ ନିଜକୁ ଅର୍ପଣ କରି
ପୂରାଇଲେ ସୁରେଶଙ୍କର ମନସ୍କାମ
ନିଶି ପାହିବା ପୂର୍ବରୁ ରମି ବାହାରି କୁଟୀରୁ
ଦେଖିଲେ ଫେରନ୍ତି ସ୍ନାନରୁ ଗଉତମ
ଲୁଚିଲେ ବୃକ୍ଷ ଆଢ଼ୁଆଳେ
ହେଲେ ଋଷିଙ୍କର ନେତ୍ରେ ଧରାପଡ଼ିଲେ ।
ଋଷି ଜାଣି ଧ୍ୟାନ ବଳେ ଜଳି କ୍ରୋଧର ଅନଳେ
ଅହଲ୍ୟାଙ୍କୁ ବୋଇଲେ ତୁ ହେଲୁ ପାପୀଷ୍ଠା
ଲାଗିଲା ଅ
ଙ୍ଗେ କଳଂକ ଯୋଗ୍ୟ ନୁହେଁ ମୋର ଅଂକ
ନଥିବାରୁ ତୋ ପାଖରେ ସତୀତ୍ବ ନିଷ୍ଠା
ଅଭିଶାପ ଘେନ ମୋହର
ଆଜିଠାରୁ ଏହି ସ୍ଥାନେ ହୁଅ ପଥର ।
ସ୍ବାମୀଙ୍କ ଚରଣ ଧରି ଅହଲ୍ୟା ରୋଦନ କରି
ଅଜ୍ଞାତ ଦୋଷ ପାଇଁକି ମାଗିଲେ କ୍ଷମା
ତୁଣ୍ଡୁ ବାହାରିବା କଥା କେବେ ନୋହିବ ଅନ୍ୟଥା
ଦିନେ ଶାପମୁକ୍ତି ହେବୁ ଜାଣରେ ବାମା
ଶିରୀରାମ ପଦରଜରେ
ମୋକ୍ଷପଥେ ଚଳିଯିବୁ ତ୍ରେତା ଯୁଗରେ ।
ଶିରୀରାମ ଲଇକ୍ଷଣ ଯଜ୍ଞ ରକ୍ଷାର କାରଣ
ବିଶ୍ବାମିତ୍ର ମହର୍ଷିଙ୍କ ଆଶ୍ରମେ ଗଲେ
ତାଙ୍କ ସହିତ ଭ୍ରମଣ କରୁଥିଲା ବେଳେ ବଣ
ରାମ ନାମ ଅରଣ୍ୟରେ ଶୁଣି ପାରିଲେ
ବିଶ୍ବାମିତ୍ର ତ୍ରିକାଳଦର୍ଶୀ
ଅହଲ୍ୟା ଶାପ ବିଷୟ ଥିଲେ ପ୍ରକାଶି ।
ପୁଣ୍ୟଶ୍ଳୋକ ରାମଚନ୍ଦ୍ର ହୃଦୟ ହୋଇଲା ଆଦ୍ର
ପାଦ ଥୋଇ ଅହଲ୍ୟା ପଥର ମୂରତି
ଦେଇଥିଲେ ତାଙ୍କୁ ମୁକ୍ତି ଯା'ର ସ୍ଥାନ ପଞ୍ଚସତୀ
ପ୍ରାତଃ ସୁମରଣା କଲେ ମିଳେ ମୁକତି
ବିବାହାର ଶୁଭ କାର୍ଯ୍ୟରେ
ପଞ୍ଚସତୀ ନାମ ମୁଖେ ବ୍ରାହ୍ମଣ ଧରେ ।
କୁରୁଆଁ, ମୁଗପାଳ, ଯାଜପୁର