ଏଇ ମାଟି ମୋ ଚନ୍ଦନ
ଏଇ ମାଟି ମୋ ଚନ୍ଦନ
ସରଗଠୁ ବଡ ମାଆ ପରି ମାଟି
ମୁଁ ତାର ଅଟେ ସନ୍ତାନ
ମାଆ ପାଦଧୂଳି ବିଜୟ ଟୀକା ମୋ
ଏଇ ମାଟି ମୋ ଚନ୍ଦନ ।
ତା ପାଣି ପବନେ କୋଳରେ ସଭିଏଁ
ଛୋଟରୁ ହୁଅନ୍ତି ବଡ
ତା ପଣତ ଛାୟା ଅଭୟ ଆଶ୍ରୟେ
ଗଢିଉଠେ ପରିବାର ।
ସୁଉର୍ବର ମାଟି ସବୁଜ ସୁନ୍ଦର
ଉପତ୍ୟକା ବିଲବନ
ଯୋଗାଏ ଆହାର ମାଆ ପରି ମାଟି
କରଇ ପ୍ରତିପୋଷଣ ।
ବହେ ନଦନଦୀ ଶୀତଳ ନିର୍ଝର
ଉଚ୍ଚ ତା ଗିରି କନ୍ଦରୁ
ଫଳଫୁଲେ ଭରା ମାଟି କାମଧେନୁ
ଅନ୍ନପୂର୍ଣ୍ଣା ଲତା ତରୁ ।
ମାଟି ମାଆ ସହେ ଅଳି ଓ ଅର୍ଦ୍ଦଳି
ଜନନୀ ସେ ସର୍ବଂସହା
ସୁକର୍ତ୍ତବ୍ଯେ ଫଳୁ ସୁନାର ଫସଲ
ହସୁ ଆମ ମାଟି ମାଆ ।
ମାଆ ମାଟି ବିନା ନାହିଁ ସୁଖ ଶାନ୍ତି
ଜୀବନର ପରିଚୟ
ମାଟି ମାଆ ସେବା ସମ୍ମାନ ସୁରକ୍ଷା
ହେଉ ମୋର ଲକ୍ଷ୍ଯ ଧ୍ଯେୟ ।
