ସକଳେ ମୋ' ପ୍ରିୟ ମିତ୍ର
ସକଳେ ମୋ' ପ୍ରିୟ ମିତ୍ର
କାହା ଆଖିରେ ମୁଁ ଶ୍ରଦ୍ଧାର ଭାଜନ
କା' ପାଇଁ ଈର୍ଷାର ପାତ୍ର ,
ଚରିତ୍ର ସଂହାର କରିବି କାହାର
ସକଳେ ମୋ' ପ୍ରିୟ ମିତ୍ର !
କିଛିଟା ଚରିତ୍ର ଲାଗନ୍ତି ବିଚିତ୍ର
ଅଦ୍ଭୁତ ତାଙ୍କ ବେଭାର ,
ମଧୁର ମଧୁର ବଚନ ବଖାଣି
କରି ନିଅନ୍ତି ନିଜର ।
କାର୍ଯ୍ୟଘେନା ପ୍ରୀତି ପସରା ମେଲାଇ
ସମୂଳେ ଲୁଟି ନିଅନ୍ତି ,
କହିବାକୁ କୁଣ୍ଠା , କାର୍ଯ୍ୟସିଦ୍ଧି ପରେ
ତଡିତ୍ ବେଗେ ଦୂରେ ଯା'ନ୍ତି ।
ପଢିଥିଲି ଶାସ୍ତ୍ରେ ଉଚ୍ଚପ୍ରୀତି ସ୍ୱୟଂ
ସଦାଚାରିଣୀ ସୁନ୍ଦରୀ ,
ଶଠତା ନଥାଏ ନୀଚ ନୁହେଁ ସିଏ
ମିତ୍ର ପାଇଁ ପାରେ ମରି ।
ଯୋଜନ ଯୋଜନ ଦୂରରେ ଥାଇ ବି
ଆତ୍ମୀୟତା ଲିଭେ ନାହିଁ ,
ବରଂ ହସି ହସି ହସ ବାଣ୍ଟୁଥାଏ
ବନ୍ଧୁତାର ବଶ ହୋଇ ।
ଶ୍ରଦ୍ଧା ,ତୁମେ କେତେ ସରଳ,ଉଦାର
ସୁନ୍ଦର ମାନସିକତା ,
ତୁମରି ସୁନ୍ଦର ମାନସିକତାରୁ
ଝରୁଥାଏ ଆତ୍ମୀୟତା !
କ୍ଷଣିକ ଈର୍ଷାର କ୍ଷୁବ୍ଧ ଦଂଶନରେ
ସତ୍ୟ ହୁଏ ଭୁଲୁଣ୍ଠିତ ,
ଲୁଣ୍ଠିତ ହେଲେ ବି କ୍ଷମା ଆଚରଣେ
ଈର୍ଷାକୁ କରେ ଲଜ୍ଜିତ ।
କିଞ୍ଚିତ ଶ୍ରଦ୍ଧାକୁ ପାଥେୟ କରି ମୁଁ
ପଥ ଅତିକ୍ରମି ଯିବି ,
ସେଇ ପଥଧାରେ କ୍ଷମାର ବୀଜକୁ
ବୁଣି ବୁଣି ଚାଲିଥିବି ।
ସ୍ୱାର୍ଥୀ,ଅହଙ୍କାରୀ ପରଶ୍ରୀକାତର
ଲୋକଙ୍କୁ କୋଟି ଜୁହାର ;
ଶ୍ରଦ୍ଧା ମୋ' ସମ୍ପତ୍ତି ସେଇ ସମ୍ପତ୍ତିରେ
ସର୍ବେ ହେବେ ଆପଣାର ।
ଆପଣାପଣରେ ମାନବପଣର
ମଧୁରତା ଲେପିଦେଇ ,
ହଜିଯିବି ଦିନେ ଦୂର ଦିଗ୍ବଳୟେ
ଶ୍ରଦ୍ଧାର ଭାଜନ ହୋଇ !