ଅନନ୍ୟା ରୂପସୀ
ଅନନ୍ୟା ରୂପସୀ
ହୈମନ୍ତିକୀ,ଶୁଭ୍ରା, ପୁଣ୍ୟଦା ,ଦୀପାଳି
ମୁରୁଜ ଓଢଣୀ ନେଇ ,
ଅଗଣା ମଣ୍ଡିଲ ଆଲୋକ ସଜ୍ଜାରେ
ଅନନ୍ୟା ରୂପସୀ ହୋଇ ।
ସୀମନ୍ତିନୀ ପାଇଁ ସହଚରୀ ସାଜି
ଦୀପରେ ଦୀପ ମିଶାଇ ,
ବସୁଧା ବାସକୁ କ୍ଷିପ୍ର ଆଲୋକରେ
ସପ୍ତସୁରେ ଦେଲ ଧୋଇ ।
ତୁମ ଆଗମାନେ ଲକ୍ଷ୍ମୀଙ୍କ ଆସନେ
ରୋଶଣି ମେଳା ଲାଗିଲା ,
ପଦ୍ମାଳୟା କୋଳେ ଶୁଭ୍ରତାକୁ ନେଇ
ଫୁଲେଇ ଫୁଲ ହସିଲା ।
ଚହଟ ବରଣୀ ଚମ୍ପାର ଓଢଣୀ
ସରମେ ଝାଉଁଳି ଗଲା ,
ପଦ୍ମ ପତରରେ ଶିଶିର କଣିକା
ସମ୍ମାନେ ସ୍ୱାଗତ କଲା ।
ଅନ୍ଧ ଅହମିକା ହୋଇଗଲା ଫିକା
ଜ୍ଞାନର ବଳୟ ଆଙ୍କି,
ତୁମ ଶୁଭ୍ରତାର ମୃଦୁ ପରଶରେ
ନିରାଶା ନଇଁଲା ଶଙ୍କି ।
ସାମ୍ୟବାଦର ସମ୍ଭାଷଣ ଦେଇ
ଅଗଣା ଅଗଣା ଯାଇ ,
ଶାନ୍ତି ମୈତ୍ରୀର ସଂରକ୍ଷିତ ଶ୍ଳୋକ
ଗୁଳ୍ମେ ଗୁଳ୍ମେ ଗଲ ଗାଇ ।
ଘର ଘର ଯାଇ ଘୋର ଅନ୍ଧକାର
ନିମିଷେ ଉଭେଇ ଗଲା ,
ଓଢଣୀ ଉହାଡ଼େ ନିଝୁମ ନିଶା ବି
ନିଜ ମୁହଁ ଲୁଚାଇଲା ।
ସ୍ୱଳପ ସମୟେ ବିନମ୍ର ବିନୟେ
ନିଜର ଆଲୁଅ ଦେଇ ,
ବନ୍ଧୁବାଦର ବଳିଷ୍ଠ ବିଜ୍ଞାନ
ପଲକେ ଗଲ ଶିଖାଇ !