ଭଗ୍ନଶିଳାର ଜୀବନ୍ୟାସ
ଭଗ୍ନଶିଳାର ଜୀବନ୍ୟାସ
ବାନ୍ଧବୀ ଗୋ,ତୁମ ସ୍ୱାଭିମାନ ସତେ
ସୁଗନ୍ଧା ରଜନୀଗନ୍ଧା ,
ଅଭିମାନ ତୁମ ଅନନ୍ତ ଆକାଶ
ନୃତ୍ୟରେ ଚପଳଛନ୍ଦା !
ଓଠର ମାନକୁ ଲୁଚାଇ ଲୁଚାଇ
ଆଖି ଦୁଇ ଓଦା ହୁଏ ,
ଅଭିମାନ ବନ୍ୟା ଉଛୁଳି ଶେଷକୁ
ମରୁଦ୍ୟାନ ସୃଷ୍ଟି ହୁଏ ।
ବେଳେବେଳେ ତୁମ ଅଭିମାନ ସାଜେ
ଅଶ୍ରୁପୂର୍ଣ୍ଣ ଅନ୍ତାକ୍ଷରୀ ,
ନିଜେ ହାରି ହାରି ଅନ୍ୟକୁ ଜିତାଏ
ବିରହିଣୀ ପ୍ରିୟା ପରି ।
ସେଦିନ କାହ୍ନାର ବଇଁଶୀ ସୁରରେ
ସତେକି କୁହୁକ ଥିଲା ,
କଦମ୍ବବନ ବି ନାଚି ଉଠୁଥିଲା
ଯମୁନା ଚହଟୁଥିଲା ।
ତୁମ ନୟନରେ ଅଶ୍ରୁ ତର୍ପଣର
ଅଦ୍ଭୁତ ନୀରବ ନୃତ୍ୟ ,
ନିଭୃତ ବେଳାରେ ଅକଥନୀୟ ତା'
ସୁପ୍ତ ଯନ୍ତ୍ରଣାର ତଥ୍ୟ !
ତୁମେ ଯେବେ ମୋର ଅକୁହା ବେଦନା
ଆପେ ଆପେ ପାର ଜାଣି ,
ତୁମ ଅଭ୍ୟନ୍ତର ନିର୍ବାକ୍ ବେଦନା
ପାରିବିନି କ'ଣ ଚିହ୍ନି !
ଚିହ୍ନି ଜାଣିଥିଲେ ଅଚିହ୍ନା ଲୋକର
ଚରିତ୍ରାୟନ ସମ୍ଭବ ,
ମୋ' ଚରିତ୍ର ଚିତ୍ର ଆଙ୍କିବାରେ ତୁମେ
ନିଶ୍ଚୟ ସଫଳ ହେବ ।
ତୁମ ହୃଦୟର ନୀରବ ଧ୍ୱନିର
ପ୍ରତିଧ୍ୱନି କୁହେ କଥା ,
ସେଇ ପ୍ରତିଧ୍ୱନି ସୁପ୍ତ ଇସାରାରେ
ମୋ' ହୃଦୟ ଲେଖେ ଗାଥା ।
ବାନ୍ଧବୀ ଗୋ ,ତୁମ ନିଃଶବ୍ଦ ରାଗିଣୀ,
ମୋ' କାବ୍ୟଗୀତି-ଝଙ୍କାର,
ମିଶ୍ର ପ୍ରତିକ୍ରିୟା ପୃଷ୍ଠା ସୃଜନରେ
ଆଣେ ସ୍ବର୍ଗୀୟ ସମ୍ଭାର ।
ପରମ୍ପରା ଆଉ ମିଥ୍ୟାଭିଜାତ୍ୟର
ସାମାଜିକ ବନ୍ଦୀଶାଳା ,
ସ୍ୱାଧୀନତା ତୁମ ଧ୍ବଂସ କରିଛି
କରିଦେଇ ଭଗ୍ନଶିଳା !
ଭଗ୍ନ କୋଣାର୍କର ନିର୍ବାକ୍ ନୃତ୍ୟାଙ୍ଗନା
ତା' ଅଭିଶପ୍ତ ଘୁଙ୍ଗୁର,
ମନେ ପଡ଼ିଯାଏ ନିର୍ଦ୍ଦୋଷ ପ୍ରାଣର
ବୁକୁଫଟା ହାହାକାର ।
ଭଗ୍ନଶିଳା ତୁମେ ନୁହଁ ଗୋ ବାନ୍ଧବୀ
ମୋ' ପ୍ରାଣର ଜୀବନ୍ୟାସ ,
ମୃଦୁ ମାଦକତା ସ୍ନିଗ୍ଧ- ଧୀରବତ୍ତା
ସଞ୍ଚରେ ନବ ଉଚ୍ଛ୍ବାସ !