କେଇ ମୂହୁର୍ତ୍ତର ଅଭୁଲା ସ୍ମୃତି
କେଇ ମୂହୁର୍ତ୍ତର ଅଭୁଲା ସ୍ମୃତି
ଶତ ଚେଷ୍ଟା କଲେ ହୁଏ ନାହିଁ ଭୁଲି
ମନ ହେଉଥାଏ ଘାଣ୍ଟି ଚକଟି
ନାଚିଉଠେ ଆଖି ଆଗରେ ସେ ଦୃଶ୍ଯ
କେଇ ମୂହୁର୍ତ୍ତର ଅଭୁଲା ସ୍ମୃତି ।
ପାଳିଥିଲେ ମାଆ ବଡ ଶରଧାରେ
କଥାକୁହା ଶୁଆଶାରୀ ଶାବକ
ଦେଖିଦେଲେ କେତେ ଖୁସି ଲାଗୁଥିଲା
ବସିଥିବେ ଲାଗି ପକ୍ଷୀ ଯୋଡିକ ।
ବାଛି ବାଛି ଆଣି ଦେଉଥିଲି ତାଙ୍କୁ
ମିଠା ମିଠା କୋଳି ପାଚିଲା ଫଳ
ଘରକୁ ଆସିବା ଦେଖାଦେବା କ୍ଷଣି
ପକାଉଥିଲେ ସେ କେତେ ଚହଳ ।
ପରଖି ଆଗରୁ ଜାଣିଥିଲି ମୁହିଁ
ପକ୍ଷୀ ଦୁହେଁ କେବେ ଯିବେନି ଉଡି
ଭଲ ଲାଗେ ମୋତେ ଘରେ ଥିବାବେଳେ
ଖେଳେ ତାଙ୍କ ସହ ସମୟ କାଢି ।
ଦିନେ ମଧ୍ଯାହ୍ନରେ ବାଢି ଦେଇଥାନ୍ତି
ମାଆ ମୋ ପାଇଁ ଖାଇବା ଥାଳି
ଅତ୍ଯନ୍ତ ଆଗ୍ରହେ ଖେଳିବା ନିଶାରେ
ପିଞ୍ଜରାର ଦେଲି ଦୁଆର ଖୋଲି ।
ଛକି ବସିଥିଲା ଅନ୍ଧାର କୋଣରେ
କେଉଁଠି ଗୋଟିଏ ଭୁଆଁ ବିରାଡି
ଆଖି ପିଛୁଳାକେ ଝାମ୍ପି ନେଇଗଲା
ଆଖି ଆଗରୁ ମୋ ପୋଷିଲା ଶାରୀ ।
ଅଧମରା ହୋଇ ବିଚରା ଶୁଆଟି
ଛାଟିପିଟି ହେଲା ଖଣ୍ଡେ ଦୂରରେ
ବାହୁନିଲେ ମାଆ ଘରସାରା ଲୋକେ
ଶୁଖିଲାନି ଲୁହ ମୋ ଆଖିରେ ।
ନିରୀହ ଦୁଇଟି ପୋଷାପକ୍ଷୀଙ୍କର
ଚାଲିଗଲା ପ୍ରାଣ ଆମରି ଲାଗି
ଲାଗୁଥିଲା ଅପରାଧେ ଭାରି ଭାରି
ପଡୁଥିଲା ଦୁଃଖେ ମନଟି ଭାଙ୍ଗି ।
ସେହିଦିନଠାରୁ ନେଇଛୁ ଶପଥ
ପିଞ୍ଜରା ଭିତରେ ଆବଦ୍ଧ କରି
ରଖିବୁନି କେବେ ଆମ ସୁଖ ପାଇଁ
ହେଉ କଥାକୁହା ଶୁଆ ବା ଶାରୀ ।
ଦିନ ବିତିଗଲା ଲୁହ ଶୁଖିଗଲା
ରହିଗଲା କ୍ଷତ ବିଷାଦ ଚିହ୍ନ
ମନେ ପଡିଗଲେ ବିଭତ୍ସ ସେ ଦୃଶ୍ଯ
ଏବେ ବି ଶିହରି ଉଠେ ମୋ ଲୋମ ।
------
