ରୁଷିଛି ମୋ ଜନ୍ମଭୂମି
ରୁଷିଛି ମୋ ଜନ୍ମଭୂମି


ବଙ୍ଗୋପରୁ ଧାଇଁ ହିମାଳୟ ଗଲି
ଦକ୍ଷିଣରୁ ପୂରୁବକୁ
ମାଆ ମାଆ ଡାକି ଆତୁରେ ପଶ୍ଚିମେ
ଲୋଟିଦେଲି ଶରୀରକୁ ।
ଝରି ଯାଉଥିଲେ ମୋ ଆଖିର ଅଶ୍ରୁ
ଝରେ ତା' ବକ୍ଷରୁ ରକ୍ତ
ଆକୁଳ ରୋଦନ ତା' କର୍ଣ୍ଣେ ବାଜୁନି
ରକ୍ତେ ମୋ ଶରୀର ସିକ୍ତ ।
ଶ୍ଯାମଳ ବସନେ ରଙ୍ଗିମା ଶୃଙ୍ଗାର
ମସ୍ତକେ ଶୁଭ୍ର ମୁକୁଟ
ଶିଳ୍ପୀ ଭ୍ରମିଯାଏ ସ୍ମୃତିର ନିହାଣେ
ପାଦପେ ବିସ୍ତାର ତଟ ।
ସୌନ୍ଦର୍ଯ୍ୟରେ ମଗ୍ନ କବି ଓ ଭାବୁକ
ମକ୍ଷିକାର
ମଧୁ ସ୍ବରେ
ଶାନ୍ତି,ମୈତ୍ରୀ ବାର୍ତ୍ତା ଚଉଦିଶେ କମ୍ପେ
ମନିଷୀଙ୍କ ପୂତ ତାରେ ।
କାହିଁ ସେଇ ଦିନ ବିଗତ ମହିମା
କାହିଁ ତା'ର ସୁନ୍ଦରତା
ଧୂସର ବର୍ଣ୍ଣରେ ଅଙ୍ଗରାଜି ତା'ର
ଅନ୍ତଃକରଣେ ପୀଡିତା ।
ଜଳୁଛି,ସଢୁଛି ଅରୁଣ ଆଭାରେ
ଥିଲା ଯେ ମଥାର ଟିକା
ପାଣି,ପବନରେ ବଢିବା ସନ୍ତାନ
ସ୍ବାର୍ଥରେ କରଇ ଏକା ।
ଦେଖ ଦେଖ ବନ୍ଧୁ କୁହ ପରିଜନ
ମାଆ ମୋ କେଉଁଠି ଅଛି
ଶୁଣୁନାହିଁ ଜମା ମୋ ହୃଦ ବେଦନା
ଜନ୍ମଭୂମି ମୋ ରୁଷିଛି ।