ମଣିଷ ଭିତରେ ମଣିଷଟିଏ
ମଣିଷ ଭିତରେ ମଣିଷଟିଏ
ମଣିଷ ଭିତରେ ମଣିଷଟିଏ
କହି ପାରିବକି ତା' ନାଆଁ କିଏ ?
ଲୁଗା ପିନ୍ଧିଥାଏ ଖଦଡ଼ ସୂତା
ଦେହରେ ନଥାଏ କେବେ କୁରୁତା ।
ଆଖିରେ ଚଷମା ହାତରେ ବାଡ଼ି
ଝୁଲୁଥାଏ ତା'ର ଅଣ୍ଟାରେ ଘଡ଼ି ।
ମୁଣ୍ଡେ ନାହିଁ କେଶ, ପାଟିରେ ଦାନ୍ତ
ମିଛ କହେନାହିଁ କହେ ସେ ସତ ।
ନିଜେ ନ ଖାଇକି ଅପରେ ଦିଏ
ମୁଖରୁ ହସ ତା' ନିଗୁଡୁଥାଏ ।
କାମ କରିବାକୁ ପଛାଏ ନାହିଁ
ନିଜ କାମସବୁ ନିଜେ କରଇ।
ଏକ ଗାଲେ କିଏ ମାଇଲେ ତାକୁ
ଦେଖାଇ ଦିଏ ସେ ଆର ଗାଲକୁ ।
ଅହିଂସା-ଅସ୍ତ୍ରକୁ ଯାବୋଡି ଧରି
ଡରିଲାନି ସିଏ ବନ୍ଧୁକ ଗୁଳି ।
ସ୍ୱାଧୀନତା-ମଧୁ ଚଖାଇଦେଲା
ନିଜେ ଚାଖିବାକୁ ତର ନଥିଲା ।
ସବୁ ଦେଇଗଲା ଜୀବନ ଭରି
ଖାଇଲା ଶେଷକୁ ବନ୍ଧୁକ ଗୁଳି ।
ଜାଣିଛ କି ପିଲେ ତାଙ୍କରି ନାମ
ସେ ପରା ଗାନ୍ଧୀଜୀ, ବାପୁଜୀ ଆମ ।
ବଡ଼ ହେଲେ ହେବ ତାଙ୍କରି ପରି
ଜଗତେ କୀରତି ଯିବ ବିଛୁରି ।