କି ଲାଭ ସେମିତି କରି
କି ଲାଭ ସେମିତି କରି
ଶୁଣ କାନ ଡେରି ଶୁଣ ତା'ର କଥା
କହେ ଯା' ପାହାଡି ଝର
ପୁଲକେ ଉଚ୍ଛୁଳି ପଥର ଶେଯରେ
ବହେ ହୋଇ ତରତର ।।
ଦେଖ ଆଖି ମେଲି ଦେଖ ନବ ରବି
କେମିତି ଆସଇ ଉଇଁ
ତା'ର ସେ ସୁନେଲି କଅଁଳ କିରଣ
ଧୀରେ ଆସି ଦିଏ ଛୁଇଁ ।।
କୁହ ମନ ଖୋଲି କୁହ ପ୍ରଜାପତି
ମନଲୋଭା ଦିଶେ କେତେ
ରଙ୍ଗରେ ରୂପରେ ରେଶମୀ ଡେଣାରେ
ସଜେଇଲା କିଏ ଏତେ ।।
ଦିଅ ହାତ ଟେକି ଦିଅ ଦୀନ ଜନେ
ଯଦି ତୁମେ ପାର ଦେଇ
ଅଛି ତା'ର ଦୁଃଖ ଅଭାବ କଷଣ
ଦିଅ ତାକୁ କିଛି ନେଇ ।।
ଜାଣ ଦେଖି ପଢି ଜାଣ ଦୁନିଆରେ
ଅଜଣା ରହିଛି ଯାହା
ସରସ ସୁନ୍ଦର ସୁଖର ଶାନ୍ତିର
ଜୀବନ ପାଇଁ କି ତାହା ।।
ଶିଖ ଇଚ୍ଛା କରି ଶିଖ ତାହା ଠାରୁ
ଅଧିକ ଜାଣିଛି ଯିଏ
ଶିଖେ ନାହିଁ ଯିଏ ହୁଏ ଲୋକହସା
ଅଜ୍ଞତା ଭୋଗଇ ସିଏ ।।
ଲେଖ ଭାବି ଚିନ୍ତି ଲେଖ ଧରଣୀର
ଶୋଷିତ ଜନର କଥା
କେଉଁଠି ରହୁଛି କଅଣ ଖାଉଛି
କିପରି ଅଛି ସେ ଯଥା ।।
ଏଇ କାମ ସବୁ ନ କରିବ ଯେବେ
ମଣିଷ ଜୀବନ ଧରି
ଖାଇକି ବଞ୍ଚିବ ବଞ୍ଚିକି ଖାଇବ
କି ଲାଭ ସେମିତି କରି ।।
