ମୋର କୋହର ଚିଠି
ମୋର କୋହର ଚିଠି
ମନେ ଭାବୁ ପରଂବ୍ରହ୍ମ ବିଶ୍ୱ ବ୍ରହ୍ମାଣ୍ଡର
ସେ ତ ବୈଭବ ଠାକୁର ମନ୍ଦିର ଭିତର |୧|
ଦେଖ ପ୍ରତିଦିନ ସେଠାର ବ୍ୟବହାର
ଶାନ୍ତି ମିଳିବନି ସେଠି ଚାଲେ ବେପାର |୨|
ହୃଦୟ କାଗଜେ ଆଜି ଲୁହରେ ଲେଖୁଛି
ଅର୍ଥ ଏକା ସମାଜେ ତ ସର୍ବସ୍ୱ ହୋଇଛି |୩|
ମଣିଷ ମଣିଷେ ନାହିଁ ଆଉ ସ୍ନେହ ଭାବ
କାହୁଁ ପାଇବା ପବିତ୍ର ଶୁଦ୍ଧ ମନୋଭାବ |୪|
ଠିକଣା ବିହୀନ ହୋଇଛି ମଣିଷ ଜୀବନ
ସେନେହ ପ୍ରୀତି ହୋଇଛି ପରା ସାତ ସପନ |୫|
ହାୟରେ କି ହୋଇଛି ଏଇ ସହରୀ ଜୀବନ
ମିଛ ଗରବରେ ଫୁଲିଉଠେ ଖାଲି ଆମ ମନ |୬|
ଜୀବନ ଧାରାରେ ନେବାକୁ କିଛିଟା ନିଃଶ୍ବାସ
ବିକା କିଣା କିଣିବାକୁ ତ ହୁଏ ଏଠି ବିଶ୍ଵାସ |୭|
ବିକ୍ରି ହେଉଛି ଦୁନିଆରେ ତ ପାଣି ଓ ପବନ
ରହୁଛେ ସରବେ ରୁନ୍ଧି ହୋଇ ଅଭାବ ଅକ୍ସିଜେନ୍ |୮|
ଓଁ ଶୁଭ ଲାଭ ନୀତି ସ୍ଵାର୍ଥ ବିନା ନାହିଁ କଥାବାର୍ତ୍ତା
ଭାଇ ଭାଇ ମଧ୍ୟେ ନାହିଁ ତ ସମ୍ପର୍କ ନାହିଁ ମଣିଷତା |୯|
ପଢ଼ାପଢ଼ି କରୁ ଆମେ ଉତ୍ତମ ମଣିଷ ହେବା ପାଇଁ
ବିଦ୍ୟାଳୟ ଗଢ଼ା ହୁଏ ବେପାର ମନୋବୃତ୍ତି ନେଇ |୧୦|
କୁଟୁମ୍ବ ଭାବୁଥିଲେ ମାତ୍ର ସମ୍ପର୍କ ପରସ୍ପରେ ସାର
ଅଦୃଶ୍ୟ ହୁଏ ବନ୍ଧୁତା ସ୍ଥାନ ହୁଏ ପରା କାନ୍ଦିବାର |୧୧|
ନେତା ଭରନ୍ତି ନିର୍ବୋଧ କଳ୍ପନାଗୁଡା ଯେଉଁଠି
ମିଛ ପ୍ରତିଶ୍ରୁତିରେ ଚାଲିଛି ଚାଲିବ ରାଜନୀତି |୧୨|
ନିର୍ଗତ ଅପବିତ୍ର ଦୂଷିତ ଧୂଆଁର ଶୁଂଘୁଛେ ବାସ
ମନ ମଧ୍ୟେ ଭରିଅଛି ଅନେକ ବିଷାକ୍ତ ଭାଇରସ୍ |୧୩|
ସବୁଠିଁ ଅଛି ଖାଲି ବଞ୍ଚିବା ମରିବା ର ଭୟ
ଦୁର୍ମୂଲ୍ୟ ଏଠି ସ୍ନେହ ଶାନ୍ତିର ପବିତ୍ର ନିଳୟ |୧୪|
ଏହା ଦେଖି ଦେଖି ମନଟି କୋହରେ ଭରିଛି ଅତି
ଏଇ ମୋର କୋହର ଚିଠି ଏଇଠି କରୁଛି ତା ଇତି |୧୫|
