STORYMIRROR

Krushna Chandra Lenka

Inspirational Children

4  

Krushna Chandra Lenka

Inspirational Children

ମୋ ଗାଆଁ

ମୋ ଗାଆଁ

3 mins
956

ତଅଁଳା କୂଳେ ହୋଇଛି ଠିଆ ଯେଉଁ ସୁନ୍ଦର ଗାଆଁ,

ନାଆଁଟି ତାର ବରିମୁଣ୍ଡେଇ ସେଇ ତ ମୋର ମାଆ।

ମୋ ଗାଆଁ ପଥେ ରହିଛି କେତେ ଶ୍ୟାମଳ ତରୁଲତା,

କେଡେ ସୁନ୍ଦର ଦେଖିଲେ ତାରେ ଦୂରେଇ ଯାଏ ବ୍ୟଥା।

ପଶ୍ଚିମ ପାଶେ ସବୁଜ ବନ ସେତ ବରୁଣ ବୁଦା,

ଭଳି କି ଭଳି ଜନ୍ତୁଏ ସେଠି ମାରନ୍ତି କେତେ କୁଦା।

'ନୂଆ ପୋଖରୀ' ଜଳାଶୟଟି ଗାଆଁର ଆଦ୍ୟ ଥାନେ,

ମୋ ଗାଆଁ ଜନ ହୁଅନ୍ତି ସ୍ନାନ ସେଠି ଆନନ୍ଦ ମନେ।

କେଡେ ନିର୍ମଳ ଦିଶେ ତା' ଜଳ ସତେ କି କାଚ କେନ୍ଦୁ,

ପଦୁଅଁ, କଇଁ ଫୁଟଇ ଯହିଁ ଶୋଭେ ତା' ଜଳ ବିନ୍ଦୁ।

ଭଳି କି ଭଳି ଫୁଟଇ ଫୁଲ ସେ ପୁଷ୍କରିଣୀ କୂଳେ,

ସ୍ନାଆନ ସାରି ଗାଁ' ନର ନାରୀ ଜଳ ଢାଳେ ତା ମୂଳେ।

ପୋଖରୀ କୂଳେ ବରଗଛଟି ରହିଛି କେତେ ଦିନୁଁ,

ତା' ପାଶେ ଲାଗି ଏକ ଚାନ୍ଦିନୀ ସୁନ୍ଦର ତାର ତନୁ।

ବିରାମ ପାଇଁ ପଥିକ ଭାଇ ବସେ ଚାନ୍ଦିନୀ ପାଶେ,

ଦକ୍ଷିଣ ଦିଗୁଁ ବହେ ସମୀର ପ୍ରଭାବେ ନିଦ ଆସେ।

ପଥଚାରୀଏ କହନ୍ତି ଆହାଃ ଏମନ୍ତ ଥାନ କାହିଁ,

ବସିଲେ ତିଳେ ପୁଲକ ମିଳେ ଏତ ସରଗ ଭୂଇଁ!

ମୋ ଗାଆଁ ମଧ୍ୟେ ବହିଛି ନାଳ ତା' ପାଇଁ ଫଳେ ସୁନା,

ଲାଗଇ ଜଳ ଚଷାର କ୍ଷେତେ ସେ'ପାଇଁ ମିଳେ ଦାନା।

ଚଷାର ଘର ଏ ଗାଆଁ ମୋର କୃଷି ମୋ ପରିବାର,

ତାହାରି ପାଇଁ ବଢିଛି ମୁହିଁ ପୂରିଛି ଆଶା ମୋର।

ଗୋଚର ଭୂଇଁ ରହିଛି ଏକ 'ତାଳ ପଡିଆ' ନାମେ,

ଗାଈ ଗୋରୁଏ ଯାଆନ୍ତି ସେଠି ସୁଖେ ଚରନ୍ତି କ୍ରମେ।

ଗାଆଁ ପିଲାଏ ଖେଳନ୍ତି ଖେଳ ଆନନ୍ଦ ମନେ ସେଠି,

ସଞ୍ଜ ନଇଁଲେ ଆପଣା ଗୃହେ ଆସନ୍ତି ଯେ ଲେଉଟି।

ଗାଆଁଠୁଁ ଦୂରେ ତଅଁଳା ତୀରେ ଶେଷ ଯାତରା ଘର,

ଜାତି, ଧରମ ନିରିବିଶେଷେ ଦାହ ହୁଅନ୍ତି ନର।

ମାଳକୁ ମାଳ ମଠ ଦେଉଳ କେତେ ଯେ ପରକାର,

ହୋଇଛି ଗଢ଼ା ମନ୍ଦିର ବେଢ଼ା ନାଟ ମଣ୍ଡପ ଦ୍ୱାର।

ହୁଅଇ ସାହା ଅମ୍ବିକେଇ ମା' ଗାଆଁ ମୁଣ୍ଡେ ତା' ଘର,

ସୁଖେ ବା ଦୁଃଖେ ତିମି ଆଲୋକେ ନଥାଏ ଆମ ଡର।

ଦିଅଁ ମଙ୍ଗୁଳା ହୁଏ ତା' ପାଶେ ବାହା, ବରତ ବେଳେ,

ଢୋଲ, ମହୁରୀ ସାଥେ ପୂଜାରୀ ଯାଆନ୍ତି ନାରୀ ମେଳେ।

ତା' ପାଶେ ଲାଗି ରହିଛି ଏକ ଦୋଳ ମଣ୍ଡପ ପୀଠ,

ଦୋଳ ଯାତରା ସହିତ ହୁଏ ନବ ପଞ୍ଜିକା ପାଠ।

ଦୁଇ ଦୁଇଟି ଶିବ ମନ୍ଦିର ଅଛି ଗାଆଁରେ ମୋର,

ଏକଇ ଅଟେ ସେ ଗତେଶ୍ୱର ଅନ୍ୟ ଯେ ବଳେଶ୍ୱର।

ପାତାଳ ଫୁଟା ଲିଙ୍ଗ ଅଟଇ ଜାଣ ଯେ ଗତେଶ୍ୱର,

ମନ୍ଦିର ତାର ଅତି ସୁନ୍ଦର ସାଥେ ଦୁଇଟି ଦ୍ୱାର।

ତା' ବେଢ଼ା ଲାଗି ଉଚ୍ଚ ପ୍ରାଚୀର ପାଶେ ଯେ ପୁଷ୍କରିଣୀ,

ଧୋଇ ପୟର ଯାଆନ୍ତି ନର ଆନନ୍ଦ ମନେ ଜାଣି।

ରାମ ମନ୍ଦିର ପ୍ରାଙ୍ଗଣେ ଯା'ର ହନୁମାନ ମନ୍ଦିର,

ଦେଖେ ଜଗତ ମନ୍ଦିର ନେତ ଉଡ଼ଇ ଫରଫର।

ରଘୁନନ୍ଦନ ପ୍ରଭୁ ଶ୍ରୀରାମ ସାଥେ ଲକ୍ଷ୍ମଣ ସୀତା,

ଭକତ ତାର ସେ ମହାବୀର ଦକ୍ଷିଣ ମୁଖା ମଥା।

ମହିମା ତାର କେଡେ ଅପାର ଜାଣଇ ଏ ଅଞ୍ଚଳ,

ଯେ' ଯା' ମନାସି ତା' ପାଶେ ଆସି ପାଆନ୍ତି ତାର ଫଳ।

ପୂରୁବ ଦିଗେ ବଡ଼ ଦେଉଳ ସାଥେ ଗୁଣ୍ଡିଚା ଘର,

କେଡେ ସୁନ୍ଦର ଦିଶେ ପୟର କୋଇଲିବୈକୁଣ୍ଠର।

ଆଳତି, ନୀତି ହୁଅଇ ନିତି ମୋ ଗାଁ' ଦେବାଳୟେ,

ସଞ୍ଜ ସଳିତା ନେଇ ଦୁହିତା ଯାଏ ସେ ଶିବାଳୟେ।

ନିତି ପ୍ରଦୋଷେ ହୁଅଇ ପାଠ ପୁରାଣ ଭାଗବତ,

ଆନନ୍ଦ ଚିତ୍ତେ ଶୁଣନ୍ତି କେତେ ଭାଗବତ ଘରେ ସେତ।

ମୋ ଗାଆଁ ଶେଷେ ରହିଛି ଏଠି ଦୁଇଟି ଶିକ୍ଷାଳୟ,

ଏକଇ ଉଚ୍ଚ ପାରଥମିକ ଅନ୍ୟ ଉଚ୍ଚ ବିଦ୍ୟାଳୟ।

କେତେ ଶିକ୍ଷିତ ଉଚ୍ଚ ଶିକ୍ଷିତ ଜନମି ତାର କୋଳେ,

ଆଣି ସୁନାମ ମୋ ଗାଆଁ ନାମ ରଖନ୍ତି ଚିର କାଳେ।

ଦୋଳ ପୁନେଇଁ, ରାମ ନବମୀ ଗାଆଁ ବଡ଼ ପରବ,

ଏଦୁଇ ଯାତ ଅଞ୍ଚଳେ ଖ୍ୟାତ ମୋର ଗାଆଁ ଗରବ।

ମୋ ଗାଆଁ ଜନ କି ପରିଜନ ଥାଆନ୍ତି ଦୂରେ ଯେତେ,

ବରଷେ ଥରେ ଏ ଗାଆଁ ପୁରେ ଆସନ୍ତି ଏଇ ଯାତେ।

ସବୁରି ବାସେ କୁଣିଆଁ ଆସେ ଏଇ ଯାତରା କାଳେ,

ପିଲାଏ ଖୁସି ହୁଅନ୍ତି ବେଶୀ ସାଥୀ ସଙ୍ଗାତ ମେଳେ।

ରାମ ଚରିତ ମାନସ ପାଠ ସହିତେ ପାରାୟଣ,

ଯଜ୍ଞ ଆହୁତି ସଞ୍ଜ ଆଳତି ଏଯାତ ବଡ଼ ପଣ।

ଦାସ କାଠିଆ, ଯାତରା, ନାଟ କେତେ ଯେ ବାଦୀପାଲା,

ଘୋଡା ନୁରୁତ,ଲଉଡ଼ି ଖେଳ ହୁଏ ସଂସ୍କୃତି ମେଳା।

ଭଳି କି ଭଳି ଖୋଲେ ଦୋକାନ ଏଇ ଯାତରା ପାଶେ,

ଆନନ୍ଦ ମନେ ବୁଲନ୍ତି ଜନେ କିଣାବିକା ସକାଶେ।

କାହୁଁ ଯେ ଦୂରୁଁ ଆସନ୍ତି ଲୋକେ ମୋ ଗାଆଁ ଯାତ ଦେଖି,

ରାତିର ଶେଷ ପ୍ରହର ଯାଏଁ ମନ ତା' ଯାଏ ଲାଖି।

ପାଖ ପଡ଼ିଶା ଗ୍ରାମେ ଯେ ଖ୍ୟାତ ମୋ ଗାଆଁ ଭାଇଚାରା,

ଗାଆଁ ଏକତା, ଶୃଙ୍ଖଳା ନୀତି ଜିଣେ ଅଞ୍ଚଳ ସାରା।

ଗାଆଁ ମୁଖିଆ ହୁଅନ୍ତି ଠିଆ ମୋ' ଗାଆଁ ସୁଖେ ଦୁଃଖେ,

ମୁଖିଆ କଥା ଶୁଣି ଜନତା ଅନେକ କଥା ଶିଖେ।

ଚୋରି କି କଳି ଅଳି ଅର୍ଦ୍ଦଳି ଯେ' ଥାଏ ଯେ' ସଙ୍କଟେ,

ସେ ମୋକଦ୍ଦମା ନଯାଇ ଥାନା ଗାଆଁ ନିଶାପେ ତୁଟେ।

ଆପଣା ପର ନାହିଁ ବିଚାର ଗାଆଁ ନିଶାପେ ଆମ,

ଆନନ୍ଦ ମନେ ମୋ' ଗାଆଁ ଜନେ ଯା'ନ୍ତି ଦୂରେଇ ଭ୍ରମ।

ସେ'ପାଇଁ ଲୋକେ କହନ୍ତି ବାକ୍ୟେ 'ଏମନ୍ତ ଗାଆଁ କାହିଁ '

ସେ ଗାଆଁ କୋଳେ ଜନମି ତିଳେ ହ୍ୱନ୍ତି କି ଧନ୍ୟ ମୁହିଁ!



Rate this content
Log in

Similar oriya poem from Inspirational