ଡାମରା କାଉରେ ଡାମରା କାଉ
ଡାମରା କାଉରେ ଡାମରା କାଉ
ଡାମରା କାଉରେ ଡାମରା କାଉ,
ତୋର ଦରଶନ ମିଳେନି ଆଉ।
ପ୍ରଭାତେ ଆଉ ତୋ ଶୁଭୁନି ରଡି,
କେଉଁ ଅଭିମାନେ ଗଲୁ ତୁ ଉଡ଼ି!
ନିଦରୁ ଆମକୁ ଦେଇ ଉଠାଇ,
କରମ ପାଇଁ ତୁ ଦେଉ ଚେତେଇ।
ସୁରୁଜ ଉଦୟ ଆଗରୁ ଉଠି,
ପ୍ରେରଣା ଦେଉ ତୁ କର ପାଇଟି।
ତୋର ରାବ ଶୁଣି ଉଠନ୍ତି ଚାଟ,
ମନ ଦେଇ କେତେ ପଢ଼ନ୍ତି ପାଠ।
ନିତ୍ୟ କର୍ମ ସାରି କୃଷକ ଭାଇ,
ହଳ ଧରି ଯାଏ ପଖାଳ ଖାଇ।
ଡାମରା କାଉରେ ଡାମରା କାଉ,
ବନ୍ଧୁ ଆଗମନ ବାରତା ଦଉ,
ଘର ଲୋକେ ମୋର ତୋ ରାବ ଶୁଣି,
ସଜାଗ ହୁଅନ୍ତି ଜାଣି ସେ କ୍ଷଣି।
ପିଲାଦିନେ ମାଆ ଦେଖାଇ ତତେ,
ସରାଗେ ଖୁଆଏ କେତେ ଯେ ମତେ।
ଅଗଣା ଦୁଆରେ ତତେ ମୁଁ ଦେଖି,
ବୁଣୁଥିଲି ମୁଢି ତୋ ମନଲାଖି।
ଗୋଟି ଗୋଟି ତୁହି ଆନନ୍ଦ ମନେ,
ଭୁଞ୍ଜୁଥିଲୁ ତାହା ରହି ସେ'ଥାନେ।
କରକଶ ସିନା କଣ୍ଠ ତୋହର,
ସେଇ କଣ୍ଠ ସୁରେ ଜାଗଇ ନର।
ଡାମରା କାଉରେ ଡାମରା କାଉ,
କାହିଁ ଆଗ ଭଳି ଆସୁନୁ ଆଉ!
ପରିବେଶ ସଫା ରହେ ତୋ' ପାଇଁ,
ନିରିମଳ ଦିଶୁଥାଏ ଯେ ମହୀ।
ଏକତା ମନ୍ତର ତୋହଠୁଁ ଶିଖି,
ଜଗତେ ମାନବ ଦେଖାଏ ଆଖି।
ତୋର ଜାତି
ପାଇଁ ହୋଇ କିମିଆଁ,
ସୁଖେ ଦୁଃଖେ ଶୋକେ ହେଉ ତୁ ଠିଆ।
ବିପଦ ଆସଇ ତୋ'ପାଶେ ଯହିଁ,
ରାବ ଶୁଣି ସର୍ବେ ଆସ ଯେ ଧାଇଁ।
କି ଯାଦୁ ରହିଚି ତୋ ରାବେ ସତେ,
ଭାଳିଲେ ଚକିତ ଲାଗଇ ମତେ!
ଡାମରା କାଉରେ ଡାମରା କାଉ,
କାହିଁ ଆଉ ତିଳେ ଗରଜୁ ନାହୁଁ।
ଝୁରି ଡାକେ ତତେ ପିକ ଶାବକ,
ଶୁଣି ତୁ ପାରୁନୁ ତାହାର ଡାକ।
ମମତା ସେନେହେ ବାନ୍ଧିଣ ଡୋରି,
ପାଳିଥିଲୁ ତାରେ ଯଶୋଦା ପରି।
ମାଆ ମାଆ ବୋଲି ଖୋଜେ ସେ କେତେ,
ଯେତେ ଖୋଜିଲେ ସେ ପାଉନି ତତେ।
କାହିଁ ଅଭିମାନ କରୁଚୁ ଆଉ,
ରୋଷ ତୋର ତିଳେ ସେତିକି ଥାଉ।
ଡାମରା କାଉରେ ଡାମରା କାଉ,
କାହିଁ ଦୂରେ ଗଲୁ ଶୁଣୁନୁ ଆଉ।
ବର ଅଶ୍ୱତଥ ଫଳକୁ ଗିଳି,
ଅଙ୍କୁର କ୍ଷମତା ଦେଲୁ ତୁ ଢାଳି।
ମଳ ତ୍ୟାଗ କଲୁ ଯେ'ଥାନେ ଯହିଁ,
ଦ୍ରୁମ, ମହାଦ୍ରୁମ ଉଠଇ ତହିଁ।
ସେଇ ଦ୍ରୁମୁ ପାଇ ଅମଳଜାନ,
ଜୀବ ସତ୍ତା ଅଛି ସେପାଇଁ ଜାଣ।
ସେଲାଗି ମଣିଷ ପାଉଚି ଯଶ,
ଯାର ପରଭାବେ ହୁଏ ବିକାଶ।
ଜୈବ ବିବିଧତା ରହେ ଅକ୍ଷୁର୍ଣ୍ଣ,
ତୋ'ଲାଗି ସମ୍ଭବ ଏସବୁ ଧନ।
ଅଭିମାନ ଛାଡି ଫେରିଆ ସତେ,
ଯାହା ତୁ କହିବୁ ଦେବି ମୁଁ ତତେ।