STORYMIRROR

Krushna Chandra Lenka

Drama Inspirational Children

4  

Krushna Chandra Lenka

Drama Inspirational Children

ବାଡ଼ି କାକୁଡି ଲତା

ବାଡ଼ି କାକୁଡି ଲତା

1 min
340

ଲଗାଇ ନାହିଁ ମୁଁ ତତେ ମୋର ବାଡ଼ି କ୍ଷେତେ,

ଆପେ ଆପେ ତୁହି ଆସି ଧରା ଦେଲୁ ସତେ।

ଦେଇ ନାହିଁ ପାଣି ବୁନ୍ଦେ ତୋର ମୂଳେ ଦିନେ,

ସାର କି ପିଡ଼ିଆ କଥା ଉଠି ନାହିଁ ମନେ।

ଉଠିବାରେ ସହାୟତା ଦେଇ ନାହିଁ ତିଳେ,

ଚାଳକୁ ଲାଗିଣ ଥିଲା ଏକ କଣି ମୂଳେ।

ସେଇ କଣି ମଧ୍ୟ ଦେଇ ଉଠିଗଲୁ ଚାଳେ,

ତୋର ଦେହେ ସେଇ ଚାଳେ ଫୁଲ କଷି ଫଳେ।

କେତେ ଫୁଲ କଷି ଧରି ଫଳିଲା କାକୁଡି,

ଦିନୁଁ ଦିନ ଚାଳେ ମୋର ଯାଏ ତାହା ମାଡି।

ତାହା ଖାଇ ଘର ଲୋକେ ହ୍ୱନ୍ତି କେଡେ ତୋଷ,

ସାହି ପଡ଼ିଶାରେ ବାଣ୍ଟି ପାଉଛନ୍ତି ଯଶ।

କେତେ ମୁଁ କୃତଜ୍ଞ ସତେ ଆଜ ତୋର ପାଶେ,

କଳନା ଯାହାର ନାହିଁ ମୋ ଜୀବନ ବାସେ।

ମାନବ କଲ୍ୟାଣେ ତୁହି ଏତେ ଆସୁ କାହିଁ ,

ତୋର ଭଲ ଚିନ୍ତା ଦିନେ ଯେ' କରଇ ନାହିଁ।

ବର ଜୀବ ହୋଇ ମୁହିଁ ଭାଳି ନାହିଁ ଯାହା,

ଲତାଟିଏ ହୋଇ ତୁହି କରୁଅଛୁ ତାହା।

ତୋର ଜାତି ନାଶ କରେ ଏଠି ମୋର ଜାତି,

ମୋ ଜାତି ପ୍ରଗତି ପାଇଁ ତୁହି ଉଠୁ ମାତି।

ଧନ୍ୟ ତୁହି ତରୁଲତା ଧନ୍ୟ ତୋର ଜାତି,

ପର ଲାଗି ଜୀବନ ତୋ ଯାଉଅଛି ବିତି।

ଦୁଃଖ ଲାଗେ ଭାଳି ମୁହିଁ ମୋର ଜାତି କଥା,

କେତେ ଯେ କୃତଘ୍ନ ନର ଚିନ୍ତି ଲାଗେ ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama