STORYMIRROR

Krushna Chandra Lenka

Action Inspirational Thriller

4  

Krushna Chandra Lenka

Action Inspirational Thriller

ତୋର ଆଗମନେ

ତୋର ଆଗମନେ

1 min
456

ତୋର ଆଗମନେ ମାଗୋ ଧରା ଜନେ

   ହୋଇଥାନ୍ତି କେତେ ତୋଷ,

ପ୍ରକୃତି ରାଣୀଟି  ସଜେଇ ହୁଅଇ

  ଧରି ନୂଆ ନୂଆ ବେଶ।


ନଦୀପଠା ପରେ  ପଡିଆ ଗୋଚରେ

   କାଶତଣ୍ଡୀ ଥାଏ ଚାହିଁ,

ଢଳି ଢଳି ଧୀରେ ଶୀତଳ ସମୀରେ

  ନାଚୁଥାଏ ସେ ତୋ ପାଇଁ।


କେତେ ତାର ଠାଣି ଦେଖାଏ ସେ'କ୍ଷଣି

   ତୋର ଆଗମନେ ମର୍ତ୍ତ୍ୟେ,

ଖିଲି ଖିଲି ହସି  ପବନରେ ଭାସି

   ସ୍ୱାଗତ ଜଣାଏ ତତେ।


ତୋର ଆଗମନେ ମାଗୋ ଏ ଭୁବନେ

    ଯାଏ ଲୁଚି କଳା ମେଘ,

ସୁନ୍ଦର ବଦନ  ଦେଖାଏ ଗଗନ

  ସାଥେ ନିରିମଳ ପାଗ।


ସୁନୀଳ ଆକାଶେ ହସୁଥାଏ ଶଶୀ

  ତା'ସାଥେ ତାରକାଗଣ,

ସୁଶୀତଳ ଜ୍ୟୋତି ଦେଇ ସାରା ରାତି

   ଜାଗନ୍ତି ତୋ ପାଇଁ ଜାଣ।


ତୋର ଆଗମନେ ବନେ ଉପବନେ

   ଫୁଟଇ କୁସୁମ କେତେ,

କେ' ଅବା ଗଳାରେ କେ' ପୁଣି ପୟରେ

   ଶୋଭା ପାଇଥାନ୍ତି ସତେ।


ତୋର ମନ ଜାଣି କେ' କୁସୁମ ପୁଣି

  ଯୋଗାଏ ମହକ ରାଶି,

କେ' ରହି ତା ଦ୍ରୁମେ ହସି ଖେଳି କ୍ରମେ

   ଜାଗିଥାନ୍ତି ଦିବାନିଶି।


ପୁଣ୍ୟ ପାରବଣେ  ତୋର ଆଗମନେ

 ଯେ' ଥାଏ ଜଞ୍ଜାଳେ ଯେତେ,

ତୁ ଆସିଲା ପରେ ଯେତେ ଥା'ନ୍ତି ନରେ

  ତୋ କାମେ ଲାଗନ୍ତି ମର୍ତ୍ତ୍ୟେ।


ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷେ ଜନ

   ହୁଅନ୍ତି ତୋ ପାଇଁ ଏକ,

ଭେଦଭାବ ଭୁଲି ଭାଇଚାରା ଖୋଲି

   ରଖନ୍ତି ମାଆ ତୋ ଟେକ।


ତୋର ଆଗମନେ ଶିଳିପୀ ଭବନେ

   ଲାଗେ କାମ ଦିନ ରାତି,

କେତେ ଚିତ୍ରକର କେତେ କାରିଗର

  ତୋ ପାଇଁ ଥାଆନ୍ତି ମାତି।


ତୋ ମୂର୍ତ୍ତି କେ ଗଢେ କେ ଲାଗେ ତୋ ମେଢେ

    କେ ପୁଣି ଗଢେ ମୁକୁଟ,

କେ ରଙ୍ଗ ଲିପଇ କେ ବସ୍ତ୍ର ପିନ୍ଧାଇ

   ଚାହିଁଥାଏ ତୋର ବାଟ।


ତୋର ଆଗମନେ  କୁନି ପିଲା ମନେ

   କେତେ ଯେ ଆନନ୍ଦ ଆସେ,

ଦରଶନ ପାଇଁ  ବସିଥାନ୍ତି ଚାହିଁ

   ଚାତକ ସମ ବରଷେ।


ଦେଖି ତୋର ଯାତ ତୋଷ ହେବ ଚିତ୍ତ

   ଭାଳନ୍ତି ସେ ମନେ କେତେ,

କେ କଣ୍ଢେଇ କିଣି  କେ ମିଠାଇ ଆଣି

   ଫେରେ ପରିଜନ ସାଥେ।


ତୋର ଆଗମନେ  ମାଗୋ ଭକ୍ତ ଜନେ

     ହୁଅନ୍ତି ଚଳ ଚଞ୍ଚଳ,

ତୋର ବ୍ରତ କରି ମଙ୍ଗଳ ମନାସି

  ବଜାନ୍ତି ଘଣ୍ଟ କଂସାଳ।


ମନ୍ତର ଉଚାରି ଧୂପ ଦୀପ ଧରି

   କରନ୍ତି ତତେ ସ୍ମରଣ,

ଦେଖି ତା ଭକତି ଯୋଗାଉ ଶକତି

  କରି ତା ଦୁଃଖ ହରଣ।


ତୋର ଆଗମନେ  ମାଗୋ ଦୁଃଖୀ ଦୀନେ

   କେତେ ଯେ ପ୍ରସାଦ ମିଳେ,

ଜନତା କଲ୍ୟାଣ  ଅଟଇ ସାଧନ

   ମାଗୋ ତୋର ପୂଜା ସ୍ଥଳେ।


ଦୀନେ ମିଳେ ଅନ୍ନ  ତା ସାଥେ ବସନ

   ଜଳ ଆଉ ବିଦ୍ୟା ଜ୍ଞାନ,

ମାନବ ସେବା ହିଁ ମାଧବର ସେବା

  ଏଇ ତୋ ପୂଜା ବିଧାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action