STORYMIRROR

Krushna Chandra Lenka

Drama Inspirational Thriller

4  

Krushna Chandra Lenka

Drama Inspirational Thriller

ମୌସୁମୀ ଗୋ ତୁମେ ଅଭିମାନ କର କାହିଁ

ମୌସୁମୀ ଗୋ ତୁମେ ଅଭିମାନ କର କାହିଁ

1 min
311

ହେ ଅଭିମାନିନୀ କୁସୁମ ହାସିନୀ

  ଲୁଚକାଳି ଖେଳ କାହିଁ,

ବିଗତ ବରଷେ କହିଥିଲ ପାଶେ

  ବେଗି ଆସିଯିବ ଧାଇଁ।


ଆଦ୍ୟ ଆଷାଢରେ ଏ'ଧରା ବକ୍ଷରେ

  ଆସ ତୁମେ ମାଟି ଛୁଇଁ,

ତେବେ ଗୋ କିମ୍ପାଇଁ ତୁମ ଦେଖା ନାହିଁ

   ଶିରାବଣ ଆସେ ଯହିଁ।


ତୁମ ବାଟ ଚାହିଁ  ରହିଛି ଅନାଇ

  ନିଦ ମୋ ଗଲାଣି ହଜି,

କେତେ ଦିନ ରାତି  ଯାଉଅଛି ବିତି

  ନିଦାଘେ ମୁଁ ସିଝି ସିଝି।


ତୁମ ବିନା ଏଠି ସ୍ବେଦେ ଭିଜି ଭିଜି

  ବଦନ ମୋ ଯାଏ ଜଳି,

ଆସିବ କହିଣ ଆସୁ ନାହଁ ତିଳେ

   କାହିଁ ଖେଳ ଲୁଚକାଳି ।


ତୁମ ପ୍ରତୀକ୍ଷାରେ ଜୀବଜନ୍ତୁ ନରେ

  ପାଉଛନ୍ତି କ୍ଳେଶ କେତେ,

କାହିଁ କର ମାୟା ନାହିଁ ତୁମ ଦୟା

  କିମ୍ପାଇଁ କହ ଗୋ ସତେ ।


ତୁମରି ପରଶେ ସବୁଜିମା ଦିଶେ

  ଜାଣ ଏ ଅବନୀ ରାଣୀ,

ନାଲି ଟୁକୁ ଟୁକୁ ସାଧବ ବଧୁଟି

  ଚାଲଇ ଓଢଣୀ ଟାଣି।


ତୁମ ଆଗମନେ ଗଗନ ବଦନେ

  ନାଚି ଉଠେ ଇନ୍ଦ୍ରଧନୁ,

ସାତ ରଙ୍ଗ ବୋଳି ଆଙ୍କେ ଧରି ତୂଳି

  କି ସୁନ୍ଦର ତାର ତନୁ ।


ନିରାଶାର ଆଶା ତୁମେ ହିଁ ଭରସା

   ତୁମେ ଏକା ସାହା ମର୍ତ୍ତ୍ୟେ,

ତୁମ ବିନା କାହିଁ  ହୋଇବ କି ଜିଇଁ

  ଏ ମହୀମଣ୍ଡଳେ ସତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama