ଅଭିମନ୍ୟୁ ବଧ
ଅଭିମନ୍ୟୁ ବଧ
ମହାଭାରତର ଏକ କଳଙ୍କିତ ଅଧ୍ୟାୟ
କୌରବ ସେନାର ମୁଖ୍ଯ ଗଙ୍ଗାପୁତ୍ର ଭୀଷ୍ମ
କୁରୁକ୍ଷେତ୍ର ଯୁଦ୍ଧ ପାଇଁ କରିଲେ ନିୟମ ।
ସୂର୍ଯ୍ୟୋଦୟ ହେଲେ ଯୁଦ୍ଧ ଆରମ୍ଭ ହୋଇବ
ସୂର୍ଯ୍ୟାସ୍ତ ହୋଇଲେ ଯୁଦ୍ଧ ବିରତି ଯେ ନେବ।
ଜଣେ ଯୋଦ୍ଧା ଜଣ ସହ କରିବ ଯେ ଯୁଦ୍ଧ
ନିରସ୍ତ୍ର ଯୋଦ୍ଧାକୁ କେହି କରିବେନି ବଧ।
ଆହତଙ୍କୁ ଯଦି କେହି କରୁଥିବ ସେବା
ସେ ସମୟେ ଆକ୍ରମଣ ଜମା ନ କରିବା।
ଭୟଭୀତ ହୋଇ କେହି କଲେ ପଳାୟନ
ତା ପଛରେ ଧାଇଁ କରିବାନି ଆକ୍ରମଣ।
ଏମିତି କେତେକ ନୀତି ଭୀଷ୍ମ ବଖାଣିଲେ
ଉଭୟ ଦଳ ତାହାକୁ ସ୍ୱୀକୃତି ଯେ ଦେଲେ।
ଭୟଙ୍କର ନାଦ କରି ଲାଗିଲା ସମର
ଚତୁର୍ଦିଗ ପ୍ରକମ୍ପିଲା ଭୂମି ଥରହର।
ଜଣେ ପରେ ଜଣେ କରି କେତେ ମହାବୀର
ବୀରଦର୍ପେ ଯୁଦ୍ଧ କରି ଗଲେ ଯମପୁର।
ଶରଶଯ୍ୟାରେ ଯେ ଭୀଷ୍ମ ଶୋଇଗଲା ପରେ
ଦ୍ରୋଣାଚାର୍ଯ୍ୟ ସେନାପତି ହୋଇଲେ ଅଧୀରେ।
କୁଟ ପାଞ୍ଚି ଦୁର୍ଯ୍ୟୋଧନ କହେ ଗୁରୁଦେବ
ବନ୍ଦୀ କଲେ ଯୁଧିଷ୍ଠିଙ୍କୁ ଯୁଦ୍ଧ ସରିଯିବ।
ଦ୍ରୋଣାଚାର୍ଯ୍ୟ କହିଲେ ହେ ଗାନ୍ଧାରୀ ନନ୍ଦନ
ଏହା କି ସମ୍ଭବ ପାଖେ ଥିଲେ ଯେ ଅର୍ଜୁନ?
ଅର୍ଜୁନଙ୍କୁ ଯୁଧିଷ୍ଠିଠୁ ଦୂରେଇବା ପାଇଁ
କୁଟ ଏକ ଭିଆଇଲେ ପୁଣି କୁରୁ ସାଇଁ।
ଯୁଦ୍ଧ ପାଇଁ ଆମନ୍ତ୍ରିଲେ ସୁଶର୍ମା ପାର୍ଥଙ୍କୁ
ଯୁଝି ଯୁଝି ଚାଲିଗଲେ ଅନେକ ଦୂରକୁ।
ଏହି ମୁହୂର୍ତ୍ତରେ ଗୁରୁ ବ୍ୟୁହ ଯେ ରଚିଲେ
ଚକ୍ରାକାରେ ସଇନଙ୍କୁ ସଜ୍ଜିତ କରିଲେ।
ପାଣ୍ଡବଙ୍କ ମଧ୍ୟେ ପଡିଗଲା ହାହାକାର
କେହି ତୋ ନାହାନ୍ତି ଜାଣି ବ୍ୟୁହ ଭେଦିବାର।
ଏ ସମୟେ ପହଁଞ୍ଚିଲେ ଅଭିମନ୍ୟୁ ବୀର
ଅର୍ଜୁନଙ୍କ କୁଳମଣି ସୁଭଦ୍ରା କୁମର।
କହିଲେ ହେ ଜ୍ଯେଷ୍ଠପିତା କର ନାହିଁ ଭୟ
ଜାଣିଛି ମୁଁ ବ୍ୟୁହ ମଧ୍ୟେ ପଶିବା ଉପାୟ।
ହେଲେ ମୁହିଁ ଜାଣି ନାହିଁ କେମିତି ଫେରିବି
ତଥାପି ରାଜାଙ୍କ ପାଇଁ ଯୁଦ୍ଧ ମୁଁ କରିବି ।
ଦିନକର କଥା ଯେବେ ଥିଲି ଗର୍ଭେ ମୁହିଁ,
ପିତା ବ୍ୟୁହ କଥା କହୁଥିଲେ ଯେ ବୁଝାଇ।
ଅଧା ଶୁଣି ମାତା ମୋର ନିଦ୍ରା ଚାଲିଗଲେ,
ଅର୍ଦ୍ଧଜ୍ଞାନ ଦେଇ ମୋତେ ଜନମ କରିଲେ।
ଏହା ଶୁଣି ଯୁଧିଷ୍ଠ
ିର କହିଲେ କୁମର
ତୁମେ ଯାଅ ଆମେ ଅଛୁ ପଛରେ ତୁମର।
ଆଜ୍ଞା ପାଇଁ ଅଭିମନ୍ୟୁ ବେଗେ ଚଳିଗଲେ
ଆଖି ପିଛୁଳାକେ ବ୍ୟୁହ ମଧ୍ୟେ ପଶିଗଲେ।
ଯୁଧିଷ୍ଠିର ଭୀମସେନ ମାଦ୍ରୀଙ୍କ ନନ୍ଦନ
ଜୟଦ୍ରଥ ଠାରୁ ହାରିଗଲେ ଚାରିଜଣ।
ଜୟଦ୍ରଥ ପାଇଥିଲା ମହାଦେବ ବର
ଦିନେ ହରାଇବ ବୋଲି ଏ ଚାରି ଭ୍ରାତର।
ବ୍ୟୁହ ମଧ୍ୟେ ଏକୁଟିଆ ସୁଭଦ୍ରା କୁମର
ତେଣେ କୌରବଙ୍କ ପକ୍ଷୁ ସାତ ମହାବୀର।
ଦୁର୍ଯ୍ୟୋଧନ ଦୁଃଶାସନ ଶାଲ୍ଯ କୃପାଚାର୍ଯ୍ଯ
କ୍ରୀତବର୍ମା ସୁତପୁତ୍ର କର୍ଣ୍ଣ ଦ୍ରୋଣାଚାର୍ଯ୍ୟ।
ବାଳକର ପରାକ୍ରମ ଦେଖି ଭୀତତ୍ରସ୍ତ
ଏକ ଏକ କରି ସର୍ବେ ହୋଇଲେ ପରାସ୍ତ।
ଶର ବାଜି କା' ଛାତିରୁ ରୁଧିର ଝରଇ
ଆଉ କାହା ହୃଦୟଟା ଭୟରେ ଥରଇ।
ଦୁର୍ଯ୍ୟୋଧନ ମନେ ପଶିଗଲା ବଡ ଶଙ୍କା
କୌରବ ସେନାଠୁ ବଳୀ ଏ ବାଳକ ଏକା।
ଯଦି ୟାକୁ ଜୀବନରେ ନ ମାରିବା ଆଜି,
ହାରିବାକୁ ପଡିବ ଯେ ଜୀବନର ବାଜି।
ଏମନ୍ତ ବିଚାର କରି କ୍ରୋଧୀ ଦୁର୍ଯ୍ୟୋଧନ
ଆଦେଶିଲେ କର ସଂଘବଦ୍ଧ ଆକ୍ରମଣ।
କର୍ଣ୍ଣ ଭାଙ୍ଗିଦେଲେ ଅଭିମନ୍ୟୁଙ୍କ ଧନୁକୁ
କୃପାଚାର୍ଯ୍ୟ ହତ୍ୟାକଲେ ସାରଥୀ ଦୁହିଁଙ୍କୁ।
କ୍ରୀତବର୍ମା ଘୋଡାଟିକୁ ଜୀବନୁ ମାରିଲେ
ଅଶ୍ଵତ୍ଥାମା କର୍ଣ୍ଣ ମିଶି ନିରସ୍ତ୍ର କରିଲେ।
କିଏ ମାରେ ଧନୁ ତୀର କିଏ ତଲୱାର
କିଏ କରେ ନିରସ୍ତ୍ରୀକୁ ଗଦାରେ ପ୍ରହାର।
ବାରମ୍ବାର ଅଭିମନ୍ୟୁ କରନ୍ତି ଧିକ୍କାର
ତୁମେ ସବୁ କାପୁରୁଷ ନୁହଁ ତୁମେ ବୀର।
ନିୟମକୁ ଭାଙ୍ଗି ପୁଣି କରୁଅଛ ଯୁଦ୍ଧ
ସପ୍ତରଥୀ କରିବ ଏ ବାଳକର ବଧ?
ଧିକ୍କାର ହେ ଜ୍ଯେଷ୍ଠ ପିତା ଧିକ୍କାର ହେ ଗୁରୁ,
ବୀର ନାମେ ତୁମେ ମାନେ ଜଣେ ଜଣେ ଭୀରୁ।
ଆନ ଉପାୟ ନ ପାଇ ଅର୍ଜୁନ ସନ୍ତକ
ଦୁଇ ହାତେ ତୋଳିନେଲେ ଭଙ୍ଗା ରଥଚକ।
ମୁହଁସାରା କ୍ଷତ ଚିହ୍ନ ଦେହସାରା ଲହୁ
କେତେ ବା ସହିବ ଏଇ ଅନ୍ୟାୟର ଦାଉ।
ପିତା ଅର୍ଜୁନଙ୍କ ନାମ ମୁଖରେ ଧରିଲେ
ଭୂମିପରେ ପଡ଼ିଯାଇ ଜୀବନ ହାରିଲେ।
ହସୁଥିଲା କୌରବର ମୁଖ ଦନ୍ତପନ୍ତି
କାନ୍ଦୁଥିଲା ଅମାନିଆ କୁରୁକ୍ଷେତ୍ର ମାଟି।
କେବେ ଭୁଲି ପାରିବନି ଆଗାମୀ ସମୟ,
ମହାଭାରତର କଳଙ୍କିତ ଏ ଅଧ୍ୟାୟ।