ମନୋଭାବ
ମନୋଭାବ
ମନ୍ତ୍ର ବଳେ ଜୀବନ୍ୟାସ
ଭ୍ରୁଣ ହତ୍ୟା ଯନ୍ତ୍ର ବଳେ,
ମଣ୍ଡପରେ ପୂଜାର୍ଚ୍ଚନା
ମାତୃଗର୍ଭେ ମୁକ୍ତି ମିଳେ ।
ଶକ୍ତିମୟୀ ଆଖ୍ୟା ଦେଇ
ଦୁର୍ବଳା ବି ମନେ ଭାବୁ,
ଜୟ ଅମ୍ବେ କହୁ ପୁଣି
ନିରୋଳାରେ କରୁ କାବୁ ।
ରଜତ ସୁବର୍ଣ୍ଣ ମେଢ଼
ଆଭୂଷଣ ଯାହା ଯେତେ,
ଅଳଙ୍କାର ପାଇଁ ପୁଣି
ନିତି ଜଳେ ଜୁଇ କେତେ ।
ନବରାତ୍ରି ଅନ୍ଧକାର
ଲୁଚିଯାଏ ଆଲୁଅରେ,
ଜରାଶ୍ରମେ ବୃଦ୍ଧା ମାତା
ନୟନରୁ ଅଶ୍ରୁ ଝରେ ।
କେମିତି ଏ ମନୋଭାବ ?
ଜଣେ ଦେବୀ ପୂଜା ପାଏ,
ଲକ୍ଷ ଲକ୍ଷ ଦେବୀଙ୍କର
ସହି ସହି ଦିନ ଯାଏ ।