ମୋ ଗାଁ
ମୋ ଗାଁ
ମନେ ପଡେ ମୋର ଗାଁର,
ଧୂଳି ଭରା ମାଟି ସଡକ
ଘାସ ବୁଦା ତାର ଦୁଇ ଧାରେ,
ମାଟିର ସେ ମିଠା ମହକ।
ମାଟି ଘର ,ତାର ଉପରେ ଚାଳ,
ଦୁଆରେ ତା ପିଣ୍ଡା ଟିଏ
ଗାଁ ର ମୁଖିଆ ସକାଳୁ ଉଠି,
ଗୁଡାଖୁରେ ଦାନ୍ତ ଘଷୁଥାଏ ।
ଘର ଚାଳ ବାଉଁଶ କୁ ଧରି,
ଗାଁ ମାଇପେ ଙ୍କ ଗପସପ
ଗହମ ଚାଉଳ ଶୁଖାଇ ଦିଅନ୍ତି,
ଘର ଆଗ ଟାରେ ପାରି ସପ।
ଘର ଚାଳ ପରେ ବିଲେଇ ମାଉସୀ,
ଛପିଥାଏ ମୂଷା ଛୁଆ ଟିକୁ
କୁଆ ଟିଏ ଛକି ବସିଥାଏ,
ଦାନା ଖୁଣ୍ଟି ଖୁଣ୍ଟି ଖାଇବାକୁ।
ଗାଁ ଝିଅ ବୋହୁ କାଖରେ ମାଠିଆ,
ଧରି ଯାଉଥାନ୍ତି ପାଣି ଆଣି
ବାଟ ଯାକ ତାଙ୍କ ଟାହି ଟାପରାରେ,
ହସୁଥାଏ ଗାଁ ମାଟି ପୁଣି।
ପୋଖରୀ ରେ ବୁଡ ପକେଇ,
କଳସରେ ପାଣି ଭରି ଦେଇ
ଅଳସ ଠାଣି ରେ ଚାଲୁଥାନ୍ତି ସବୁ,
ଓଦାଲୁଗା ଟାକୁ ଦେହେ ଗୁଡେଇ।
ଛେଳି ପଲ ଆଉ ଗାଈପଲ ,
ଗୋଧୂଳି ରେ ସବୁ ଫେରୁଥାନ୍ତି
ଗାଇଆଳ ଭାଇ ଘଉଡାଇ ଚାଲେ,
ଗାଈ ଛେଳି ପଲ ନିତିନିତି।
ସାଇକଲ ଘଂଟି ବଜାଇ ଡାକିଆ,
ଘରଘର ବୁଲି ଡାକ ଦିଏ
ଡାକିଆ ର ଘଂଟି ଶବଦ ରେ,
ବୋହୁ ମନେ ଆଶା ଭରିଦିଏ।
ଶାଶୁ ଶଶୁର ଙ୍କୁ ଲୁଚିଲୁଚି,
ଝରକା ଖୋଲି ସେ ବସିଥାଏ
ସୁଦୂର ରୁ ସ୍ବାମୀ ଚିଠି ନ ପାଇଲେ,
ମନରେ ଉଦାସୀ ଭରି ଯାଏ।
କାଶତଣ୍ଡୀ ଫୁଲ ଆନନ୍ଦେ ଝୁମଇ,
ମିଠାମିଠା ମଳୟ ର ସାଥେ
ବରଗଛ ତଳେ ଚାଟଶାଳୀ ବସେ,
ପିଲାଙ୍କର ଥାଏ ବହି ହାତେ।
ଭାଗବତ ଟୁଙ୍ଗୀ ମନେ ଭରିଦିଏ,
ଗାଁ ବାସୀ ଙ୍କର ମନେ ଖୁସୀ
ସେଇ ଗାଁ କଥା ଭାବୁଚି ମୁଁ ଆଜି,
ସୁଦୂର ବିଦେଶେ ବସିବସି।