ସ୍ୱାଧୀନ ଭାରତ
ସ୍ୱାଧୀନ ଭାରତ
ଜାତି ଧରମର ଭେଦ ଭାବ ଭୁଲି
ଏକତା ମନ୍ତର ବଳେ,
ଆସ ଭାଇ ବନ୍ଧୁ ଜନ ଗଣ ମନ
ଗାଇବା ତ୍ରିରଙ୍ଗା ତଳେ
ନାହିଁ ଆମ ଡର ଭୟ
ସ୍ୱାଧୀନ ଭାରତ ନାଗରିକ ଆମେ
ଏତିକି ହିଁ ପରିଚୟ ।
ବିଦେଶୀ ଶାସନୁ ପାଇଛୁ ମୁକତି
ଆମ ଦେଶେ ଆମେ ରାଜା,
ନୀଳ ଆକାଶରେ ଫରଫର ହୋଇ
ଉଡୁଛି ଜାତୀୟ ଧ୍ଵଜା
କହି ଯାଏ କାନେ କାନେ
ମହାପୁରୁଷଙ୍କ ବଳିଦାନ କଥା
ରଖିଥିବା ସଦା ମନେ ।
ସୁଭାଷ ତିଳକ ଗାନ୍ଧୀ ଗୋପବନ୍ଧୁ
ଦେଇଗଲେ ମହା ଜ୍ଞାନ
ମାଟି ମାଆ ପାଖେ ତୁଚ୍ଛ ଧନ ରତ୍ନ
ତୁଚ୍
ଛ ଜୀବ ଯଉବନ
କେଡେ ସେ ଦାରୁଣ ଗାଥା !
ବିଦେଶୀ ହାତରୁ ଗୁଳି କେ ଖାଇଲା
କଟିଲା କାହାରି ମଥା ।
ଡରିଲାନି ହେଲେ ଭାରତୀୟ ଜାତି
ଥରିଲା ଫିରିଙ୍ଗି ଛାତି,
ଭାରତ ମାଆକୁ ଦୁଇ ଭାଗ କରି
ଛାଡ଼ିଗଲେ ରାତାରାତି
ବଦଳିଲା ସୀମାରେଖା
ହିମାଳୟ ଠାରୁ କୁମାରିକା ଯାଏଁ
ନୂତନ ଭାରତ ଲେଖା ।
ଚିର କାଳପାଇଁ ସାଇତି ରଖିବା
ଆମେ ସ୍ଵାଧୀନତା ଆମ,
କଳା କୀରତିରେ ଜ୍ଞାନ କୌଶଳରେ
ରଖିବା ଦେଶର ନାମ
ପ୍ରଗତିରେ ଆମ ଲୟ
ଆନନ୍ଦ ମନରେ ସଭିଏଁ କହିବା
ଜୟ ଭାରତର ଜୟ ।