କବିର ଘରଣୀ
କବିର ଘରଣୀ


କବିର ଘରଣୀ ସେଇ
(ଦେଖ)କବିର ଘରଣୀ ସେଇ,
କବିତାକୁ ଭାବେ ସଉତୁଣୀ ସମ
ଜମାରୁ ଆଦର ନାହିଁ ।
ଦିନକର କଥା ଭାଇ
(ଶୁଣ) ଦିନକର କଥା ଭାଇ,
କବି ଲେଖିଥିଲା ଗୀତି କବିତାଟେ
ସରାଗରେ ଦେଲା ଗାଇ ।
ଘରଣୀର ମୁଣ୍ଡ ଟିଣ
(କବି)ଘରଣୀର ମୁଣ୍ଡ ଟିଣ,
କଳା ମେଘ ଭଳି ଗରଜି ଉଠିଲା
କବି ତୁଣ୍ଡ ହେଲା କ୍ଷୀଣ।
ଯାଉଛି ମୁଁ ବାପଘର
(କହି) ଯାଉଛି ମୁଁ ବାପଘର,
ତମ ତମ ହେଇ ବାହାରି ପଡ଼ିଲା
ଯେମିତି ଧନୁରୁ ତୀର ।
କବି ବୁଝେନାହିଁ ଆହା
(ଭଲା) କବି ବୁଝେ ନାହିଁ ଆହା,
ଘରଣୀ କହୁଛି ମୁଁ ଗଲା ପରେ
କବିତାକୁ ହୁଅ ବାହା ।
ବିଚରା କବିର ମନ
(ଓଃ) ବିଚରା କବିର ମନ,
କବିତା ଲେଖାରେ ଭୁଲିଯାଇ ଥିଲା
ଘରଣୀ ଜନମ ଦିନ ।
ସେଦିନୁ ଦି ମାସ ହେଲା
(ଭାଇ) ସେଦିନୁ ଦି ମାସ ହେଲା
କି ଲେଖିବ କୁହ କବିତା ଫବିତା
କବିର ହୃଦୟ ଢିଲା ।