ସ୍ତ୍ରୀ କରିଥିଲା ସାବିତ୍ରୀ ବ୍ରତ
ସ୍ତ୍ରୀ କରିଥିଲା ସାବିତ୍ରୀ ବ୍ରତ
(ରମ୍ୟ ରଚନା)
ଏତେ ଦିନେ ମୁଁ କୃତାର୍ଥ ହେଲି
ବିଚିତ୍ର ପ୍ରେମ ଦେଖି,
ହଠାତ୍ ଖରାବେଳେ ଘରଣୀ
ସରମୀ କହେ ଡାକି।
କାନ୍ଧେଓହଳି ଫୁଲେଇ ହେଇ
ମୋ ନାକେ ଟିପ ମାରି,
ଚାହିଁ ସେ ତଳେ ମୃଦ୍ଯୁ ହସରେ
ଲାଜେଇ ଗଲା ଭାରି ।
କେମିତି କେମିତି ଲାଗୁଥିଲା
ଏ ଅଲାଜୁକ କଥା,
ପିଲାଏ ଯଦି ଆସି ଦେଖିବେ
କି ହେବମୋ ଅବସ୍ଥା!(କିହୋ)
ଘଟଣା କ'ଣ କାହିଁ ଏ ପ୍ରେମ
ବୁଝି ହୁଏନି କିଛି,
ଜଣାପଡେ ଯା' ଟଙ୍କା ଖର୍ଚ୍ଚର
ସୂଚନା ମିଳୁଅଛି।
ମୋ ଅନୁମାନ ହୋଇଲା ସତ
ଆଜି ସାବିତ୍ରୀ ବ୍ରତ,
ଶାଢ଼ୀ ଚୂଡି ଓ ଫଳ ମେକପ
ଜିନିଷ ଆବଶ୍ୟକ।
ତଳେ ଲାଗୁନି ଖୁସିରେ (ତା')ଗୋଡ
ଏଣେ ମୋ ହୃଦ କାନ୍ଦେ,
କାହୁଁ ଆଣିବି ଏତେ ଟଙ୍କା ମୋ
ପଡ଼ିଲା ବଜ୍ର ମୁଣ୍ଡେ ।
ଆମ୍ବ ପଣସ ଲିଚୁ ସପୁରୀ
ରେଟ୍ ଆକାଶ ଛୁଆଁ,
କଞ୍ଚା ଖଜୁରୀ କି କଞ୍ଚା କେନ୍ଦୁ
ଡିମାଣ୍ଡ ପୁଣି ଯାହା।
ସ୍ତ୍ରୀ କରିବ ସାବିତ୍ରୀ ବ୍ରତ
ଲାଗୁଛି ଆଚମ୍ବିତ,
କିପରି ବଗ ଛାଡ଼ିବ ମାଛ
ଦେଖିବ ଆଜ ନେତ୍ର।
ଓଧ ସଙ୍ଗରେ ଭୂଆଁ ବିଲେଇ
ବାଇ ହୋଇଲା ପରି,
ଅନ୍ୟଙ୍କୁ ଦେଖି ବ୍ରତ କରିବ
ଯିଦି ଧରିଛ ଭାରି।
ଗାଈ ସହିତ ଘୁଷୁରୀ କ'ଣ
ହେଲାଣି କେବେ ସରି,
ନା,ତୁମ ଭଳିଆ ଉଦଣ୍ଡୀ ନାରୀ
ସାବିତ୍ରୀ କରିଲାଣି?
କଥା ସରିନି ପାଟିରୁ ମୋର
ରଡିଟି ଛାଡିଦେଲା,
ବାପାମୋ ୟା' ହାତେଛନ୍ଦିକି
ଜୀବନ ନଷ୍ଟ କଲା।
ତୋଠାରୁ ଭଲ ଧରମ ଭାଇ
ନ ମାଗି ସବୁ ଦିଏ,
ତୋ ଭଳିଆ ଭିକାରୀ ହାତ
ଧରି ମୁଁ କାନ୍ଦୁଥାଏ।
ମାଇପ ଯଦି ପୋଷି ପାରୁନୁ
କାହିଁ ତୁ ବାହା ହେଲୁ ,
ଆଜିକା ନାରୀ ନୁହେଁ କାହାରି
ୟାକୁ କି ପାଶୋରିଲୁ?
ଧରମ ଭାଇ ରହିଛି ଚାହିଁ
ଯଦି ଈଶାରା ଦେବି,
ସାଙ୍ଗେସାଙ୍ଗେ ସେ ନେଇଯିବ ତ
ତା' ସହ ପଳେଇବି।
ଏ କଥା ଶୁଣି ସହି ନ ପାରି
ଟଙ୍କା ପୁଳାଏ ଧରି,
ସ୍କୁଟର କାଢି ତାକୁ ବସେଇ
ମାର୍କେଟ ବାହାରିଲି।
ଗୁଣ୍ଠୁଣୀ ହାତୀ ଢଳୁଆ ଚାଲି
ହସିଲା ଖିଲି ଖିଲି,
ଲାଙ୍ଘା ଲିପି ଷ୍ଟିକି ହାଇହିଲ ମାରି
ଚଷମା ପିନ୍ଧି ମଲ୍ଲୀ।
ଭେନିଟି କାନ୍ଧେ ଝୁଲେଇ ପୁଣି
ମେକପ୍ ହେଇ କେତେ,
ମୋବାଇଲ ଗୀତ ସ୍କୁଟର ପଛେ
ମୋ କାନେ ବାଜେ ଯେତେ।
ବାଟରେ ସବୁ ଟୋକାଙ୍କ ଦୃଷ୍ଟି
ମୋହରି ମଲ୍ଲୀ ଉପରେ,
ଷ୍ଟାଇଲି ମାରି ସେ ଏ ବୟସରେ
ଟୋକାଙ୍କୁ ବାଇଆ କରେ।
ବଜାରେ ହଜାରେ ସେ ଆଇଟମ
କିଣିଲା ମନ ମଜେଇ,
ଦୋକାନୀ ମାନଙ୍କ ସଙ୍ଗେ କଳିକରେ
ବାର୍ଗେନିଙ୍ଗ୍ କରି ସେହି।
ସହଜେ ମଉକା ସାବିତିରୀ ଓଷା
ଦୋକାନୀଙ୍କ ଖୋଲେ ରାସ୍ତା,
ଟଙ୍କାକ ଜିନିଷ ପାଞ୍ଚ ଟଙ୍କା ଯେଣୁ
ସାବିତ୍ରୀ ବ୍ରତ ତାମସା।
ବ୍ରତ ଦିନ ଚୌକି ଉପରେ ବସାଇ
ମୋ ମୁଣ୍ଡେ ଦେଲା ସିନ୍ଦୂର,
ଆଖିବୁଜି ବସ ଥଟ୍ଟା ନ କରିବ
କଡ଼ା ହୁକୁମ୍ ତାହାର।
ମୋମୁହଁକୁ ଚାହିଁ ଗଲା ସେ ଲାଜେଇ
ଯେଣୁ ନୂଆବ୍ରତ କରେ,
ମୁଁ ଆଖି ବୁଜିଲେ ବନ୍ଦେଇବ ମୋତେ
ଅରୁଆ ଚାଉଳ ଧରେ।
ଆଖି ମୁଁ ବୁଝିଛି ସେ ମୋତେ ପୂଜୁଛି
ଦୀପଟିଏ ଜଳେଇଛି,
ମୋ ମୁହଁ ଆଗରେ ଥାଳୀ ବୁଲଉଛି
ହୁଳହୁଳି ପକାଉଛି।
ମୋ ନିଶେ ହଠାତ ଲାଗିଗଲା ଦୀପ
ଫାଳେ ନିଶ ଗଲା ପୋଡି,
ହାଉଳି ଖାଇଲି ନିଶ ଦେଲୁପୋଡି
ସିଏ ହସେ କିରିକିରି।
ଯନ୍ତ୍ରଣାକୁ ମୋର ନିଘା ନାହିଁ ତାର
ହସିହସି ଗଡିଯାଏ,
ଫାଳେନିଶ ମୋରପୋଡିଗଲା ଯେଣୁ
ଭାରି କଷ୍ଟ ହେଉଥାଏ।
କି ଓଷା କରିଲୁ ଗେରସ୍ତ ପୂଜିଲୁ
ନିଶ ମୋର ପୋଡିଦେଲୁ,
ମୋଠାରେ ତୋହର କେଉଁ ଭଳି ଭକ୍ତି
ପ୍ରମାଣ ବି ଦେଇଦେଲୁ।
ହଜାରେ ପ୍ରକାର ଭୋଗ ଫଳମୂଳ
ପେଟଭରି ଖାଇଗଲା,
ହତଭାଗା ଏଇ ସତ୍ଯବାନଟିଏ
ଯାହା କଷ୍ଟ ଭୋଗୁଥିଲା।
ଫାଳେ ନିଶ ମୋର ପୋଡିଗଲା ପୁଣି
ଆଉ ଫାଳେ ଥିଲା ରହି,
ପୋଡ଼ା ନିଶ ଆଉ କେବେ ନ ଉଠିଲା
ଚମଛାଲି ଧଳା ହୋଇ।
ଲାଜସରମରେ ଚାଲିପାରିଲିନି
ସାଙ୍ଗ ମାନେ ଥଟ୍ଟାକଲେ,
ସତ୍ୟବାନ ଦେଖ ଆସୁଅଛି କହି
ଯାହା ଖୁଣ୍ଟା ଦେଉଥିଲେ।
ସେଇଦିନୁ ମୁହିଁ ଗାମୁଛା ମୁହଁରେ
ବାନ୍ଧିବା ଅଭ୍ୟାସ କଲି,
ସହକିଆ ନିଶ ହଳେ ରଖୁଥିଲି
ତାକୁ ଆଜି ହରେଇଲି।
ଧନ୍ୟ ହେ ସାବିତ୍ରୀ କଳିଯୁଗ ନାରୀ
ଲୋକ ଦେଖା ବ୍ରତ କରି,
ସର୍ବଦା ନଚାଅ ଗେରସ୍ତକୁ ତୁମେ
ହାତର କଣ୍ଢେଇ ପରି।
ମମି ବୋଉ କ'ଣ ସମାନହେଲେଣି
ଆଖି କେବେ ଦେଖିଲାଣି,
ଶାଢୀପିନ୍ଧା ବୋଉଠାରେ ଯାହାଥାଏ
ମମି ଠାରେ ମିଳିଲାଣି?
ତେଣୁ ହେ ପାଠକ ଆସିଲାଣି ବ୍ରତ
ତୁମ ଭାଲିଡିଟି ଯିବ ,
ଦାମୀ ଶାଢ଼ୀ ଚୂଡି ଦେଇକି ନିଜକୁ
ରିଚାର୍ଯ୍ କରାଇ ନେବ।।
