ମୋ ଘର ଠିଆପାଲା (ରମ୍ୟ କବିତା)
ମୋ ଘର ଠିଆପାଲା (ରମ୍ୟ କବିତା)
ସ୍ତ୍ରୀ----
କି ପାଲା ଲାଗିଛି ରାତି ସାରା ବସି
କବିତା ଲେଖା ଚାଲିଛି,
ଶୋଇ ବସି କ'ଣ ଦେବ ନାହିଁ ଦେଖ
ରାତି ପାହିଲାଣି ଆସି।
କି ପ୍ରେମ ଉଛୁଳେ କବିତା ଲେଖାରୁ
ମୁଁ ତ ଜାଣିପାରୁ ନାହିଁ,
ବତୀ ଲିଭାଇକି ଶୋଇବନି କ'ଣ
ମୋ କଥା କି ଶୁଭୁନାହିଁ??
ସ୍ଵାମୀ--
ସବୁ ଶୁଭୁଅଛି କଥା ତୁମ ସଖୀ
ଗଡମା ଭଳି ଫୁଟୁଛି,
ଠୋ ଠୋ ହୋଇ ଖାଲି କାନ ନୁହେଁ
ହୃଦକୁ ମୋ ଫଟଉଛି।
ଇଜ୍ଜତକୁ ଚାହିଁ ରାତି ଅଧରେ ଯା
ଡରିମରି ଢୋକୁଅଛି,
ବୁଝିପାରେନି ମୋ କବିତା ଲେଖାରେ
କାହିଁକି ତୁମର ଆଖି?? କାହିଁ..
ତୁମଟିଭିଦେଖା ଲିପ୍ଷ୍ଟିକ୍ବୋଳାରେ
କେବେ କିଛି କହିଛିକି,
ବରଂ ନିର୍ଦ୍ଧାରିତ ସମୟ ପୂର୍ବରୁ
ରିଚାର୍ଜ କରିଦେଉଛି।
ସ୍ତ୍ରୀ- --
କଅଣ କହିଲ ମୋ ଟିଭି ଦେଖାରେ
ତମେ କିଛି କହୁନାହଁ,
ନା,ଗାରୁଗାରୁହୋଇବାଡେଇଛାଟେଇ
ଦେଖେଇ ସେକେଇ କୁହ।
ସହକ ମୁଁ କରେ ଏଇ ବୟସରେ
ଜଳିଯାଏ ତୁମ ଦିହ,
ମୋ ଲାଗି କାଳେ ଖର୍ଚ୍ଚ କରି ମର
ଛୁଟଉଛ ଟଙ୍କା ସୁଅ??
ସ୍ଵାମୀ--
ଯଦିବା କହିଛି ଏକଥା ତୁମକୁ
ଭୁଲ୍ ମୁଁ ତ କହିନାହିଁ,
ତୁମ ଭଳି ସବୁ ମାଇକିନିଆଙ୍କୁ
ଭଲକି ଚିହ୍ନିଛି ମୁହିଁ।
ନିଜ ମନେମନେ ଚଉଦ ପା' ଯେ
ତୁମର କେ ରଜା ନାହିଁ,
ମୁଁ ଯେତେବେଳେ କଲମଟି ଧରେ
ଝଗଡ଼ା ଦିଅ ଲଗେଇ।
ମୋ ଭାବନା ସବୁ ଭଣ୍ଡୁର କରୁଛ
ଖୁଣ୍ଟା ଖାଲି ଦେଇ ଦେଇ,
ମନୋବଳ ମୋର ଭାଙ୍ଗି ଦେଉଛ ଯା
ଶବ୍ଦ ଖୋଜି ପାଉନାହିଁ।
ନା,ସଠିକ୍ ଦି'ଧାଡି ଲେଖି ପାରୁଛି କି
ଖାସ୍ ତୁମରି ପାଇଁ,
ପଛରୁ ମୋ ଗୋଡ଼ ଟାଣିବା ଅଭ୍ୟାସ
କେବେ ବି ଛାଡିଲ ନାହିଁ।
ସତ ମୁଁ କହୁଛି ମୋ କବିତା ପ୍ରତି
ଯଦି ତ ନଜର ଦେବ,
ସହିପାରିବିନି ପାଦ ରକ୍ତ ମୋର
ମୁଣ୍ଡକୁ ଯେ ଉଠି ଯିବ।
ପୁଣି ଯିଏ ମୋତେ ଫୋନ୍ କରୁଅଛି
କାନ ଡେରି ଶୁଣୁଅଛ,
କହୁଛ ଝିଅଙ୍କ ସାଙ୍ଗେ ମୁହିଁ କାଳେ
କରେ ଥେଇଥେଇ ନାଚ।
ଜାଣି ପାରେନାହିଁ କାହିଁକି ମୋଅଠିଁ
ଏତିକି ତୁମରି ରାଗ,
ଏଇଟା ଯେ ସତ ସନ୍ଦେହ କରିବା
ସ୍ତ୍ରୀ ମାନଙ୍କର ରୋଗ।
ସ୍ତ୍ରୀ-
ଓହୋଃ ମୋର ସତୀଆ ପୁରୁଷ
ତୁମକୁ କି ଚିହ୍ନି ନାହିଁ,
କବିତା ଆସର ନାଁ କହି ପରା
ଝିଅଙ୍କୁ ନିଅ ବସେଇ।
ବାଟ ସାରା ପୁଣି ଭାବ ଦିଆନିଆ
ଦିହ ଲଗାଲଗି ହୋଇ,
ମୋ ବେଳକୁ କୁହ ଗାଡ଼ିରେ ତୁମର
ତେଲ ସେତେବେଳେ ନାହିଁ।
ସ୍ଵାମୀ--(ହଇଓ)
ମୁହଁ ସମ୍ଭାଳିକି କୁହ କହୁଅଛି
ଭଦ୍ରାମୀ ଜାଣିଲ ନାହିଁ,
ଯା'ହେଲେ ଛୋଟମୋଟ କବି ପରା
ତୁମରି ଗେରସ୍ତ ମୁହିଁ !
ହଁ ଏହା ସତ ବାହାହେଲା ଦିନୁଁ
ମୋଡିଛ କି ଗୋଡହାତ,
ବରଂ ସାବିତ୍ରୀରେ ପ୍ରତିବର୍ଷ ତୁମେ
ଝଗଡ଼ା ଖାଲି କରିଛ।
ଯମଠୁଁ ଫେରାଇ ଆଣିବା ବଦଳେ
କହିଛ ଯୋଗନୀଖିଆ ,
ଅନେକ ଥର ବି ଝାଡୁ ଓ ବେଲଣା
କାଠିରେ ପିଟିଛ ଯାହା।
ହଁ ,ଆର ଗାଁ ରାଧୁଆ କାହିଁକି ଆସୁଛି
ସେଇ କଥା କହିବଟି,
ମୁଁ ଚାଲିଗଲେ ସାହିତ୍ୟ ଆସର
ଆମ ଘରେ କରେ ଖଟି?
କାଲି ଦିନସାରା ରହିବି ମୁଁ ଘଟି
ପାହି ଯାଉ ଆଜି ରାତି,
ଯଦି ଆସିବ ସେ ଛତରା ରାଧୁଆ
ଫଟେଇବି ତାର ପିଠି।
ସ୍ତ୍ରୀ--
ରାଧୁଆ ଭାଇ ମୋ ନ ଆସିବ ଯଦି
ତୁମକୁ ମୁଁ ଛାଡିଦେବି,
ରାତି ପାହିଗଲେ ସବୁଦିନ ପାଇଁ
ବାପଘର ଚାଲିଯିବି।
ମୋ ବାପା ଆଉ କାହାକୁ ନପାଇ
ୟା'ହାତେ ଛନ୍ଦି ଦେଲା,
ପୁରୁଣାକାଳିଆ ବେରସିକିଆଟା
(ଖାଲି) ସାହିତ୍ୟ ଆସର ଗଲା।
(ସ୍ତ୍ରୀ ନାକ ସକେଇ କାନ୍ଦୁଥିଲା)
ସ୍ଵାମୀ--
ହଉ ହେଲା ତମେ ଜମା କାନ୍ଦ ନାହିଁ
ମୋ ହୃଦ ଯାଉଛି ଫାଟି,
ବାପଘର ଯିବ କୁହନାହିଁ ସଖୀ
ଲିଭାଇ ଦିଅ ଲାଇଟି।
ମୁଁ ପରା ତୁମର ଅଟେ ସେହି ଜୟୀ
ତୁମେ ମୋର ମାମିନାଟି,
ଏ କଳିକଜିଆ ପୂର୍ଣ୍ଣଚ୍ଛେଦ ପଡୁ
ଆଉ ଲାଗିବାନି ପାଟି।
ଏମିତି ମୋ ଘରେ ସବୁଦିନେ ଭାଇ
ଠିଆପାଲା ଲାଗୁଅଛି,
ଏ ମୂର୍ଖ ଅପର୍ତ୍ତି ସେ ଠିଆପାଲାରୁ
ହସ ଟିକେ ଚାଖୁଅଛି।