ପୁମ୍ପେଇ ଅମେଇସା
ପୁମ୍ପେଇ ଅମେଇସା
🪔ପୁମ୍ପେଇଁ ଅମେଇସା🪔
************ଅପର୍ତ୍ତି ସେଠୀ
ବଡବଡୁଆ ତ ସରଗେ ଅଛନ୍ତି
ବାପା ତୁମେ କହୁଥିଲ,
ଏବେ କିନ୍ତୁ ତୁମେ ପରକରି ମୋତେ
ସେ ସରଗେ ଚାଲିଗଲ।
ତୁମ ବିଚ୍ଛେଦରେ ବଞ୍ଚିଛି ଏ ଯାଏଁ
ଆଖି ଲୁହ ଢାଳି ଢାଳି,
ତୁମେ ହେଇଗଲ ମୋ ବଡବଡୁଆ
କେମିତି ପାରିବି ଭୁଲି।
ପ୍ରତିବର୍ଷ ଏହି ଦିପାବଳୀ ଦିନ
ବେଶୀ ତୁମେ ମନେ ପଡ,
ତୁମ କଥାଭାବି ଅମାନିଆ ମୋର
ଆଖି ଲୁହ ଅସମ୍ଭାଳ।
କବିତା ଲେଖୁଛି ଲୁହ ମୋ ଗଡୁଛି
ଛାତି ମୋ ଯାଉଛି ଫାଟି,
ବାପା ହେ ତୁମକୁ ଆଉ କି ପାଇବି
ମନ ଝୁରେ ଦିନରାତି।
ତୁମେ ଥିଲାବେଳେ ଦିପାବଳୀ ଦିନ
ଉଠୁଥିଲ ପାହାନ୍ତାରୁ ,
ଶୁଆଁ କଇଁ ପତ୍ର ବାଳୁଙ୍ଗା ଧାନ ବି
ଆଣୁଥିଲ ଗହିରୀରୁ।
କାଉଁରିଆ କାଠି ବାନ୍ଧି ସାତ ଗଣ୍ଠି
ନୂଆ ବେରୁହାଁରେ ଯାହା,
ପଣସ ପତ୍ରରେ ଦେହି ପିଣ୍ଡିଠାରେ
ପିଣ୍ଡ ବାଢୁଥିଲ କିଆଁ?
ସଞ୍ଜ ନଇଁଗଲେ ବୋଉ ଗଢିଦିଏ
ସରାଗେ ମଣ୍ଡା ଗଇଁଠା ,
କଦଳୀ,ନଡ଼ିଆ, କ୍ଷୀର,ଘିଅ,ଛେନା,
ଅଦା,ଆଖୁ କେତେ କଥା।
ଭୋଗ ନଇବେଦ୍ଯ କଳସ ସ୍ଥାପନ
କେତେ କ'ଣ ଉପଚାର,
ସାତ କଇଁପତ୍ରେ ସାତ ପୁରୁଷଙ୍କୁ
ସାତ ଗୋଟି ଦୀପ ଜାଳ।
ଧୂପ,ଦୀପ,ଝୁଣା ବାସ ସମର୍ପଣ
ସାଷ୍ଟାଙ୍ଗରେ ପ୍ରଣିପାତ,
ଖଣ୍ଡେ ଖଣ୍ଡେ ପୁଣି କାଉଁରିଆ କାଠି
ଧରେଇ ଆମରି ହାତ।
ଘିଅ ସଳିତାରୁ ପୁମ୍ପେଇ ଲଗେଇ
ବଡବଡୁଆଙ୍କୁ ଡାକ,
ଆମେ ସେତେବେଳେ ବଡବଡୁଆଙ୍କୁ
ଡାକୁ ବି ତୁମ ସହିତ।
ବଡ଼ ବଡୁଆ ହୋ!
ଅନ୍ଧାରରେ ଆସି ଆଲୁଅରେ ଯା'
କାଶୀ ବାରାଣସୀ ଗୟା ତୁମେଯା'
ଶେଷେନିଳାଚଳେ ବାଇଶି ପାହାଚେ
ଯାଇ ଗଡଗଡାଉ ଥା'...
ଯା'ଦେଇଛ ତାହା ପାଇ ଯା'.....।।
ତୁମେ କହୁଥିଲ ପୁଣ୍ୟ ପୟାଶ୍ରାଦ୍ଧ
ସବୁଠୁଁ ପବିତ୍ର ଦିନ,
ଶୁଭ ଦିପାବଳୀ ଆଲୋକର ପର୍ବ
ଅମା ଅଜ୍ଞାନ ନାଶନ।
ପିତୃପୁରୁଷଙ୍କ ଆବାହନ ମର୍ତ୍ତ୍ୟେ
ପ୍ରକାଶେ ଆଲୋକ ସର୍ବ,
ଅନ୍ଧାର କଳୁଷ ହୋଇଯାଏ ନାଶ
ଆମର ଏ ଶ୍ରେଷ୍ଠ ପର୍ବ।
ଘିଅ ଦିପାବଳୀ ପ୍ରଦୀପ ଜ୍ଜ୍ଵଳନ
ପ୍ରକୃତି ହୁଏ ନିର୍ମଳ,
ଦୂରେ ଚାଲିଯାନ୍ତି କୀଟ ପତଙ୍ଗାଦି
ହସୁଥାଏ ଧାନ ବିଲ।
ସଗର ବଂଶକୁ ପୁତ୍ର ଭଗିରଥ
ନର୍କରୁ ଉଦ୍ଧାରିଥିଲେ,
ତୁମେ ମଧ୍ୟ କହିଥିଲ ରାମ ଏହି
ଦିନ ଅଯୋଧ୍ୟା ଫେରିଲେ।
ଆଜି ତୁମେ ବାପା ପାଖେ ନାହଁ ସିନା
ଅଛି ତୁମ ଆଶୀର୍ବାଦ,
ଯାହା ଶିଖେଇଛ ସେହିଭଳି ଆଜି
ସମର୍ପୁଛି ନଇବେଦ୍ୟ।
ଆନନ୍ଦରେ ଆସି ଗ୍ରହଣ କର ହେ
ମନେ ନ ଆଣ ହେ ରୋଷ,
କରି ହେ ଆଶିଷ ଅଧମ ସନ୍ତାନେ
ନ ଘେନିବ ଦୋଷାଦୋଷ।
ବଡବଡୁଆଙ୍କ ସହିତରେ ଆସି
ଅଦୃଶ୍ଯରେ ରହିଥାଅ,
ଜେଜେବାପାଗୋସବାପା ଅଣବାପା
ସଭିଙ୍କୁ ହେ ଆଣିଥାଅ।
ଆଲୋକ ମାଳାରେ ଆତସବାଜିରେ
ତୁମକୁ ସ୍ଵାଗତ କରେ,
ବଡବଡୁଆ ହୋ ପଡୁ ତୁମ୍ଭ ପାଦ
ମୋ ଘର ଦାଣ୍ଡ ଦୁଆରେ।
ଥିଲେ ଶୁଭ ଦୃଷ୍ଟି ଘୁଞ୍ଚିବ ବିପତ୍ତି
ଏହି ଭରଷା ମୋ ଅଛି,
ଓଡ଼ିଆ ସଂସ୍କୃତି ଭିତରେ କେବଳ
ଧର୍ମ ଲୁଚି ରହିଅଛି।
(ପାଳକଣା,କୋରୋ,କେନ୍ଦ୍ରାପଡ଼ା
ମୋ - ୭୮୯୪୩୯୮୫୦୦)
ବି.ଦ୍ର.-(ମୋର ପ୍ରକାଶିତ କବିତା)
