ମାନିଲେ ସିନା ମାନବ ହେବା
ମାନିଲେ ସିନା ମାନବ ହେବା
ମାନିଲେ ସିନା ମାନବ ହେବା
*********ଅପର୍ତ୍ତି ସେଠୀ
(ରମ୍ୟ ରଚନା)
ମାନବ ଜନ୍ମ ଦୁର୍ଲ୍ଲଭ କିନ୍ତୁ
କଲୁ ବିଚିତ୍ର କର୍ମ,
ଜାଣିପାରୁନୁ ଭଲ କି ମନ୍ଦ
କେଉଁଟା ପାପ ପୁଣ୍ୟ ।
ବାର୍ଦ୍ଧକ୍ୟେ ପିତାମାତାଙ୍କୁ ନେଇ
ଛାଡୁଛୁ ଜରାଶ୍ରମେ,
ଫଟୋରେ ଫୁଲ ଚଢେଇ କହୁ
ବଡ଼ ଧାର୍ମିକ ଆମେ।
ଧର୍ମ ଅର୍ଜୁଛୁ ମନ୍ଦିରେ ଯାଇ
ପୂଜୁ ପଥର ଦିଅଁ,
ଚଳନ୍ତି ନାରାୟଣଙ୍କ ପ୍ରତି
ହେଉ ଆମେ ନିର୍ଦ୍ଦୟ।
ଧାତୁ ସର୍ପକୁ କ୍ଷୀର ଚଢାଉ
ଶିବ ଶଙ୍କର କହି,
ପ୍ରକୃତ ସାପ ଦେଖିକି ଭାଇ
ପିଟିକି ମାରୁ କାହିଁ?
ହେଉ ପଥର ଷଣ୍ଢ କି ମୂଷା
ଠାକୁର କହୁଅଛେ,
ଏଣେ ମୂଷାଙ୍କୁ ଯନ୍ତାରେ ମାରି
ଷଣ୍ଢଙ୍କୁ ବାଡଉଛେ।
ଶ୍ରୀରାମ ଭକ୍ତ ଶ୍ରୀହନୁମନ୍ତ
ମୂର୍ତ୍ତିକୁ ପୂଜୁଥାଉ,
ହେଲେ ମାଙ୍କଡଟିଏ ଦେଖିଲେ
ତାକୁ ଗୋଡଉଥାଉ।
ମୁଁ ହେତୁବାଦୀ ନୁହେଁରେ ଭାଇ
ଠାକୁରଙ୍କୁ ମୁଁ ମାନେ,
ଠାକୁର ବାଣୀ ଜୀବରେ ଦୟା
ରଖ ହେ ସାଧୁ ଜନେ।
ଠାକୁର ନେଲେ ମତ୍ସ୍ୟାବତାର
ଆମେ ବି ଜାଣିଅଛୁ,
ସେହି ମାଛକୁ ଖାଇକି ଜିହ୍ୱା
ଲାଳସା ଛଡଉଛୁ।
ଗାଈ ଗୋବର କହି ଡେଞ୍ଜର
ଗାଈ ନ ପାଳି ଘରେ,
ଦେଶୀ ବିଦେଶୀ କୁକୁର ଧରି
ବୁଲିଲୁ ବଜାରରେ।
ସତେ ଜାଣିକି ହେଲା ଅଜଣା
ଆମ ମଣିଷ ଭାଇ,
କ୍ଷୀର ନ ପିଇ ମଦ ପିଉଛି
ଶୀଘ୍ର ମରିବା ପାଇଁ।
ମରିଗଲା ଯେ ତାକୁ ନ ଛୁଇଁ
ଶବ ବୋଲିକି କହୁ,
ହେଲେ ସେ ମଲା ଜୀବ ମାଂସକୁ
ନିଇତି ରାନ୍ଧି ଖାଉ।
ଲାଗି ନ ଖାଇ ମ୍ଯାଗୀ ଖାଇଲୁ
ରୋଗରେ ପଡ଼ି ମଲୁ,
ନିଜ ସଂସ୍କୃତି ଭୁଲି ପାଶ୍ଚାତ୍ୟ
ପ୍ରେମରେ ପଡିଗଲୁ।
ଦାସକାଠିଆ ପାଲା ଭୁଲିଲୁ
ଦେଖିଲୁ ନଗ୍ନ ନୃତ୍ୟ,
ପାରମ୍ପରିକ ପୋଷାକ ଛାଡ଼ି
ପିନ୍ଧିଲୁ ସଟକଟ।
ଠାକୁର ପୂଜା କରିକି ମଜା
ତାମସେ ମାତିଗଲୁ,
ମେଲୋଡ଼ି ଡ୍ଯାନ୍ସ ଡିଜେ ମେଲଣ
ଠାରେ ପ୍ରାଧାନ୍ୟ ଦେଲୁ।
ଶବରୀ ଦେଲା ଅଇଁଠା କୋଳି
ଖାଇଲେ ରଘୁସାଇଁ,
ଏଯାଏ ଛୁଆଁ ଅଛୁଆଁ ଭାବ
ଆମଠୁଁ ଯାଉନାହିଁ।
ହାତ ପାଇଛୁ ହେଲେ କାହାକୁ
ଟେକିଲୁ ନାହିଁ ହାତ,
ବରଂ ସେ ହାତେ ଅନ୍ୟ ତଣ୍ଟିକୁ
ଚିପି ବୋଲାଉ ଶ୍ରେଷ୍ଠ।
ପାଠ ପଢିଲୁ ଚାକିରୀ କଲୁ
ସଂସ୍କାର ଭୁଲିଗଲୁ,
ଲାଞ୍ଚ ଦୁର୍ନୀତି ଦୁଷ୍କର୍ମ ଆଦି
ଅନୀତି କାର୍ଯ୍ୟ କଲୁ।
ସ୍ବାର୍ଥକୁ ଗଣ୍ଠିଧନ କରିଲୁ
ଅର୍ଥରେ ରଖି ଲୋଭ,
ଅନ୍ଯର ଗୋଡ଼ ଟାଣି ଚାଲିଲୁ
ରଖିଲୁ ଅହଂ ଭାବ।
ଭୁଲିଲୁ ମାନବିକତା ଆମେ
ହୋଇଲୁ ପଥ ଭ୍ରଷ୍ଟ,
ଧର୍ମ ମାନିଲେ ମାନବ ହେବୁ
କହିଛି ପରା ଶାସ୍ତ୍ର।।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା
ମୋ-୭୮୯୪୩୯୮୫୦୦)
ବି.ଦ୍ର.-(ମୋର ପ୍ରକାଶିତ କବିତା)
