ଭିତରକୁ ଯିବା ମନା
ଭିତରକୁ ଯିବା ମନା
କରୋନା ଦେଖି କି ପିଇ ଯାଉଛୁ ଲୋ
ଢକ ଢକ କାଢା ପାଣି
ଗୋରା ଦେହ ତୋର କଳା ପଡ଼ିଲାଣି
ଆଲୋ ମୋ ହୃଦୟ ରାଣୀ ।
ପରିବା ପତର ନିତି ଧୋଇ ଧୋଇ
ଥଣ୍ଡା ଛାଡ଼ୁ ନାହିଁ ତୋତେ
ଉଷୁମୁ ଟିକିଏ ଖୋଜିଲା ବେଳକୁ
ରାତିରେ ମାରୁଛୁ ନାତେ ।
ଘରେ ପଶିବାକୁ କେତେ ପାଲା କରୁ
ସାନିଟାଇଜର ଧର
ହାତ ଗୋଡ଼ ସବୁ ବୋଳା ବୋଳି କର
ନହେଲେ ଆସିବ ଜର ।
କରୋନା ଆସିଲା ସୁଖ କାଢି ନେଲା
ନିତି ଲାଗେ ଘରେ ନାଟ
ରୋଗ ବ୍ୟାଧି ଯୋଗୁଁ ସ୍ଵାମୀ ସ୍ତ୍ରୀ ମଧ୍ୟେ
ସୃଷ୍ଟି ହେଲା ବଡ଼ ଫାଟ ।
ପୋଲିସ କଥାକୁ ନମାନିବ ଯଦି
ବାହାରେ ଖାଇବ ମାଡ଼
ମାଇପ କହୁଛି ବାହାରୁ ଆସିଛ
ଭିତର ଘରକୁ ଛାଡ ।
କେବେ ଯିବ ଏଇ କରୋନା ଭୂତାଣୁ
ମିଳିବ ଟିକିଏ ଶାନ୍ତି
ଶୁଖିଲା ମୁହଁରେ ହସ ଝଲସିବ
ଜଳିବ ସୁଖର ବତୀ ।