ଯାଉ ତେଣେ ମନ୍ତ୍ରୀ ଗାଦି
ଯାଉ ତେଣେ ମନ୍ତ୍ରୀ ଗାଦି
ଚମ୍ପି ଆଈ କାଲି ସଅମ୍ପି ସଅମ୍ପି
କମ୍ପାଉଥିଲା ଯେ ଦାଣ୍ଡ ,
କାରଣଟା ତା'ର ଜାଣିବା ସକାଶେ
ଲୋକ ହୋଇଗଲେ ରୁଣ୍ଡ ।
ଅସଲ କଥାଟା ଜାଣିଲେ ତୁମର
କରତି ହୋଇବ ଛାତି ,
ଆଈ ଲାଗି ନିଶ୍ଚେ ମନରେ ଟିକିଏ
ଜାଗିବ ସହାନୁଭୂତି ।
ସ୍ୱପ୍ନ ଦେଖିଥିଲା-ଭୋଅଟରେ ଲଢ଼ି
ମନ୍ତିରୀ ହୋଇବେ ଜୋଇଁ ,
କୋଠା ଘରେ ରହି ମଟର ଗାଡ଼ିରେ
ବୁଲିବେ ସେ ଘାଇଁ ଘାଇଁ ।
ଲୋକବାକ ତାଙ୍କୁ ଖାତର କରିବେ
ବାବୁଙ୍କ ଗହଳି ହେବ ,
ମନ୍ତିରୀ ଘରଣୀ ହୋଇଲେ ଝିଅର
ଦୁଃଖ ଯେତେ ଆପେ ଯିବ ।
ଭଳି ଭଳି ସିଏ ଶାଢ଼ି ଚୁଡ଼ି ସହ
ଗହଣା ଥାଆନ୍ତା ମଣ୍ଡି ,
ଲୋକଗୁଡ଼ା ତାଙ୍କୁ ଈର୍ଷା କରି କାଳେ
ଜାଣିଶୁଣି ଦେଲେ ଭଣ୍ଡି ।
ଭୋଅଟ ପାଇଲେ ପନ୍ଦର ଖଣ୍ଡ ସେ
ଅମାନତ ଗଲା ଉଡ଼ି ,
ସେଥିପାଇଁ ଆଈ ବାଇଆଣୀ ହୋଇ
କରୁଥିଲା ଘୋର ରଡ଼ି ।
'ଯେତେ ରଇଜଳା ,ଅଲାଜୁକି ତୁମେ
କନ୍ଦଉଛ ଆଜି ମୋତେ ,
ସାତ ଜନ୍ମ ଯାଏ ତୁମ ବଉଁଶରୁ
ମନ୍ତିରୀ ହେବେନି ଗୋଟେ ।
ପୋଡ଼ାମୁହାଁ ଆଉ ଯୋଗିନୀଖାଇଙ୍କୁ
ମିଳିବନି ଖାଇବାକୁ ,
ତୁମରି ଡିହରେ ବିଲୁଆ ନାଚିବେ
ନ ଥିବେ କେ କହିବାକୁ '।
ରଡ଼ି କରୁ କରୁ ଚାଳ ଘରେ ତା'ର
ଲାଗିଗଲା ତେଣେ ନିଆଁ ,
ଲୋକମାନେ ଦେଖି ପାଣି ପକେଇକି
ଶାନ୍ତ କଲେ ନିଆଁ ଧୂଆଁ ।
ଆଈ ପାଟି ସେବେ ଖନୀ ମାରିଗଲା
କହିଲା ଲୋକଙ୍କୁ କାନ୍ଦି ,
ଅକାରଣେ ଯାହା ତୁମକୁ ସଅମ୍ପି
କହୁଥିଲି କେତେ ଫାନ୍ଦି ।
ପାଇଗଲି ଏବେ ଫଳ ତା'ର ମୁହିଁ
ମୋ ଦୋଷକୁ ଧରନାହିଁ ,
କଥା ଦେଉଅଛି ତୁମରି ସାଥିରେ
ଶାନ୍ତିରେ ଚଳିବି ମୁହିଁ ।
କହିବିନି ଆଉ କଟୁ କଥା କେବେ
କାହା ହୃଦୟକୁ ବାଧି ,
ତୁମେ ସବୁ ମୋର ସୁଖ ଦୁଃଖ ସାଥୀ
ଯାଉ ତେଣେ ମନ୍ତ୍ରୀ ଗାଦି ।