STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ରଜରେ ଗଲି ମୁଁ ଶଶୁର ଘର

ରଜରେ ଗଲି ମୁଁ ଶଶୁର ଘର

2 mins
253

(ରମ୍ୟ ରଚନା)


ଶଳା ଭାଉଜ ମୋ ଡାକିଲା ରଜରେ

    ଗଲି ମୁଁ ଶଶୁର ଘର,

ଫିଟ୍ ଫାଟ୍ ହୋଇ ସାଇକେଲ ଚଢି

     ବାହାରିଗଲି ସ‌ଅଳ।

କୁନା ବୋଉ ହାତ ଭଙ୍ଗା ଖିଲିପାନ

    ଖଣ୍ଡେ ଗାଲେ ଜାକି ଦେଲି,

ମୁଣ୍ଡଟି ମୋହର ଅଧାଚନ୍ଦା ତେଣୁ

    ଯତନେ ଟେରୀ‌ ଭାଙ୍ଗିଲି।

ପହଞ୍ଚୁ ପହଞ୍ଚୁ ଶାଶୁ ଶଶୁର ମୋ

    ଶଳା ଓ ଶଳା ଭାଉଜ,

ଭାରି ଖୁସି ହେଲେ ଥଣ୍ଡା ମଗେଇଲେ

    ଚାଲିଲା ରଜ ମ‌ଉଜ।

ଶଳାଟି ମୋହର ବାହାପିଟିଆ‌ ସେ

     ଡହଁରା ଏକ ନମ୍ବର,

ଫୁଟାଣି ଗପରେ‌ କିଏ ବଳିଯିବ

     କହେ ସେ ଷଣ୍ଢ ସାହିର।

ୟାକୁ ମରିଦେବି ତାକୁ ମାରିଦେବି

     ଏଣୁ ତେଣୁ ଗପୁଥାଏ,

ତା' କଥା ମୋର ଏକାନେ ପଶିକି

     ସେ କାନେ ବାହାରିଯାଏ।

ଶଳା ଭାଉଜର ଏକା ଯିଦି‌ ଭାଇ

     ଆଜି ଆମ ଘରେ ରୁହ,

ତୁମେ କାଳେ ବ୍ୟଙ୍ଗ କବିତା ଲେଖୁଛ

     ମୋତେ ଭାଇ କିଛି କୁହ।

"ଶଶୁରଙ୍କ ପୁଅ ଘରଣୀର ଭାଇ"

      କବିତାଟି ଶୁଣେଇଲି,

ଶଳାଟି ମୋହର ଚିଡୁଥିଲା ବୋଲି

      ଯାହା ଅନୁମାନ କଲି।

ଶଳା ଭାଉଜ ମୋ କହିବାରୁ ଶଳା

      ଦେଶୀ ଗଞ୍ଜାଟି ଆଣିଲା,

କୁକୁଡ଼ା ବେକକୁ‌ ମୋଡ଼ି ଶଳା ତାକୁ

      ଭଲକି ରୁମେଇ ଦେଲା।

କଦଳୀ ପତର ଖଣ୍ଡେ କାଟି ଆଣି

      କୁକୁଡ଼ାକୁ ରଖି ଦେଇ,

ପୁରୁଣା ଛୁରୀ ଓ କଟୁରୀକୁ ଧରି

      ଚାଲିଗଲା ସେ ପଜେଇ।

କ କ ଶବ୍ଦ କରିକି‌ ହଠାତ୍

      କୁକୁଡ଼ାଟା ଦ‌ଉଡିଲା,

ରୁମଛଲା ହେଇ ମଲା କୁକୁଡାଟା

      କେମିତି ପୁଣି ବଞ୍ଚିଲା?

ଶଳା ଭାଉଜ ମୋ ମୁହେଁ ଲୁଗା ଦେଇ

      ହସି ହସି ଗଡ଼ିଗଲା,

ଦେଖ ଭାଇ ତୁମ ଶଳାଙ୍କ ହାତରେ

      କୁକୁଡାଟି‌ ବି ନ ମଲା।

କିହୋ ଶଳାବାବୁ‌ ୟାକୁ ମାରିଦେବି‌

     ତାକୁ ମାରିଦେବି କୁହ,

କୁକୁଡ଼ାଟିଏକୁ‌ ମାରି ପାରିଲନି‌

    (ତୁମେ)କିଭଳି ଅଣ୍ଡିରୀ‌ ପୁଅ?

ତୁମ ଭଳି ଯେତେ ଫୁଟାଣିଆଙ୍କର

     କଥାରେ ଯେ ମୂଲ୍ୟ ନାହିଁ,

ଗରଜିଲା ମେଘ ପରାଏ ଗର୍ଜ୍ଜନ୍ତି‌

     କେବେ ବରଷନ୍ତି‌ ନାହିଁ।

ଏହା ଶୁଣି ଶଳା କୁକୁଡ଼ା ପଛରେ

    ଗୋଡ‌ଉଛି‌ ବାରିସାରା,

ଲୁଙ୍ଗି ଖୋଲିଗଲା ଶଳାଟି ମୋହର

    ପୁରା ଓବସ୍ତ୍ର ଲଙ୍ଗଳା।

ସେହି ରୁମଛଲା କୁକୁଡ଼ାଟି ଯାଇ

     ବାରି ଗୋବର ଖାତରେ,

ଭୁଷିହେଲା ଯେବେ ଗୋବରଗୁଡାକ‌

     ବୋଳି ହେଲା ତା' ଦେହରେ।

ରୁମଛଲା ଧଳା ଦେହଟି ତାହାର

     କଳା କିଟିକିଟି‌ ଦିଶେ,

ଗୋବରଗନ୍ଧରେ‌ ଦେହଚୋଇ‌ ମୋର

     ପେଟ ମୋଡ଼ି ବାନ୍ତି ଆସେ।

ସେ ଅବସ୍ଥା ଦେଖି କୁକୁଡ଼ା ଝୋଳକି

     ଆଉ ମୁଁ ଖାଇବି ସେଠି,

କହିଲି ଆଉ ମୁଁ ରହି ପାରିବିନି

     କାମ ଅଛି ମୋର ଘଟି।

ଗୋଟିଏ ହାତରେ ଲୁଙ୍ଗିଟିକୁ ଧରି‌

     ଅନ୍ଯ ହାତରେ କୁକୁଡ଼ା,

ଶଳା ମୋ କହୁଛି ଯାଅନାହିଁ ଭାଇ

     ସେଇଠାରେ ହୁଅ ଛିଡ଼ା।

ଆଉ ଅଧଘଣ୍ଟା ଲାଗିବ କୁକୁଡ଼ା

     ତରକାରୀ ହୋଇଯିବ,

ମାଲ୍‌ ଟିକେ ମାରି ଚିକେନ ଖାଇକି‌

     ତୁମ ଘରକୁ ଫେରିବ।

ହେ ମୋର ପାଠକ କୁହ ହେ ପଦକ

     କିକୁକୁଡ଼ା ଝୋଳ ହେବ,

ଆପଣ କି ଭାବୁଛନ୍ତି କିବା ସେଠି

      ଅପର୍ତ୍ତି ଆଉ ରହିବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy