STORYMIRROR

ଅଜୟ କୁମାର Ajaya Kumar ବେହେରା Behera

Comedy Others

5  

ଅଜୟ କୁମାର Ajaya Kumar ବେହେରା Behera

Comedy Others

ଶାଳୀ ପାଇଁ ଛାଡ଼ଖାଇ

ଶାଳୀ ପାଇଁ ଛାଡ଼ଖାଇ

2 mins
516


ଶାଳୀ ଆସିଥାଏ କାର୍ତ୍ତିକ ଶେଷରେ

    ଘରକୁ ଆମର ବୁଲି 

ହବିଷ ପାଳନ   ସରିଗଲା ପରେ

   ଆଇଁସ ଖାଇବ ବୋଲି ।୧।

   

ଏକମାତ୍ର ଶାଳୀ  ଭାରି ଅଲିଅଳି 

  ଶ୍ରଦ୍ଧାରେ ଡାକନ୍ତି ଗେହ୍ଲୀ 

ଦିନରାତି ଖାଲି  ପାଟି ବୁଲୁଥାଏ

  ଯାହା ପାଏ ଦିଏ ଗିଳି ।୨।

   

ବୁଧବାର ଦିନ   ଛାଡଖାଇ ପର୍ବ

   ଆଇଁସ ବଜାର ଭିଡ଼

ଲାଇନିରେ ଠିଆ ସବୁ ଆଇଁସିଆ

   ମଟନ ଉପରେ ମାଡ଼ ।୩।

   

ବେସରକାରୀ   ଖଣ୍ଡିଏ ଚାକିରି 

   ମୋ ପାଇଁ ବହୁତ ବଡ଼

ସ୍ୱଳ୍ପ ଦରମାରେ ଖଟଣୀ ବହୁତ  

   ମାଲିକ ଦେଖାଏ ତୋଡ ।୪।

   

ତଥାପି ଦେଇଛି ଘରଣୀ ହାତରେ

   ନାଲି ଗାନ୍ଧୀ ନୋଟ ଖଣ୍ଡେ 

ଚିକେନ୍ କସାକୁ ଖାସି ମାଂସ ଝୋଳ

  ଶାଳୀ ସଙ୍ଗେ ନେବି ତୁଣ୍ଡେ ।୫।

   

ମଝିରେ ମଝିରେ ମାଈପ ଡାକରେ

   ଆସେ ଶାଳୀ ଯଦି ବୁଲି

ଦୁର୍ବଳରୁ ମୋର ଡାଲା ବାଜିଯାଏ

  ପକେଟ କରେ ମୋ ଖାଲି ।୬।

   

ଢୋଲକୁ ସଜେଇ ଦାନ୍ତକୁ ପଜେଇ

   ରେଡି ହୋଇ ଆସିଥାଏ 

ଓଦା କଞ୍ଚା ପଚା ଯାହା ବି ମିଳଇ

   ଗିଳି ସଫା କରି ଦିଏ ।୭।

    

ଅଫିସରୁ ଆଜି ଫେରିବା ବାଟରେ

   ହେଲାଣି ବହୁତ ଡେରି

ରୁଷି ଶୋଇଥିବ ଖଟିଆରେ ଶାଳୀ

   ତକିଆ କୁଣ୍ଢେଇ ଧରି ।୮।

   

ହେଉ ପଛେ କାଳି ଅତି ଗୁଣବାଲି

   ମୁଁ କୁଆଡେ ତା ନିଜର

ମାଇପ କଥାରେ ମାଈଚିଆ ମୁହିଁ

   ଭାବିବି କେମିତି ପର ।୯।

   

କାର୍ତ୍ତିକ ମାସରେ ହବିଷ ବ୍ରତରେ

    ଅରୁଆ ଡାଲମା ଖାଇ      

ପାଖକୁ ମୋ ଆସେ ଛାଡଖାଇ ଦିନ

   ଆଇଁସ ଗିଳିବା ପାଇଁ ।୧୦।

   

ମୁହିଁ ହତଭାଗା କରିଦେଲା ବେଙ୍ଗା

    ପୁରୁଣା ସ୍କୁଟର ଗାଡି

ବିନା ଷ୍ଟେପିନିରେ ସିଲପଟ ଚକରେ

   କଣ୍ଟା ହୋଇଗଲା ଫୋଡି ।୧୧।

   

ଫେରିବା ବାଟରେ ଗ୍ୟାରେଜ ଅଭାବ

    କେମିତି ଆସିବି ଚଢି    

ଗହଳି ରାସ୍ତାରେ ଡେରି ମୋ ହେଉଛି

   ଗଡେଇ ପଂକ୍ଚର ଗାଡି ।୧୨।  

    

ଧଇଁସଇଁ ହୋଇ ବେଗି ବେଗି ଧାଇଁ 

     ଚାଲିଥିଲି ଉଠି ପଡି 

ମାର୍ଗଶିର ମାସ   ଶୀତୁଆ ରାତିରେ

    ଝାଳ ଯାଉଥିଲା ଗଡି ।୧୩।

    

ବେଳ ବୋଧେ ଭଲ ବାଟରେ ଦେଖିଲି

   ଗ୍ୟାରେଜଟି ଅଛି ଖୋଲା

ଅବସ୍ଥା ମୋ ଦେଖି ସେହି ମେକାନିକ

    ପଙ୍କଚର ମାରିଦେଲା ।୧୪।

     

ଧାଇଁଲି ବେଗରେ ପହଞ୍ଚିଲି ଘରେ  

   ଶାଳୀ ମୋ ଆସିଲା ମାଡି

ବ୍ୟାଗ ଝିକି ନେଲା ହାତକୁ ଧରିଲା 

  ନେଇଗଲା ମୋତେ ଭିଡି ।୧୫।

   

ଭିତରକୁ ଗଲି   ଥକ୍କାରେ ବସିଲି

     କାଠ ଚଉକିଟି କାଢି 

ଦେଖି ମୋ ଅବସ୍ଥା ପୁରା ସଙ୍ଗେ ଅଧା

    ହସି ହସି ଗଲେ ଗଡି ।୧୬।  

     <

/p>

ମିଶିଗଲେ ଦୁହେଁ କରିଲେ ପହଳି

    'ସରମ ଗଲାଣି ଛାଡି 

କେତେ ଟଙ୍କା ଆଉ ଦରମା ପାଇଲେ

   କିଣିବ ହେ ନୂଆ ଗାଡି !୧୭!'

    

ଶୁଣି ତାଙ୍କ କଥା  ଘୁରିଗଲା ମଥା

    ରାଗରେ ଗଲି ମୁଁ ଚିଡି

ଭାବିଲି କହିବି  ଥଣ୍ଡା କରିଦେବି

   ଦେଇ ଦୁଇପଦ ଝାଡ଼ି ।୧୮।

   

ଘରେ ମାଈଚିଆ ବାହାରେ ବେହିଆ

   କେମିତି ଖୋଲିବ ପାଟି 

ଘରଣୀ ମୋହର ଭାରି ଡାହାଣିଆ

    ରଖିଛି ଛାଞ୍ଚୁଣି ମୁଠି ।୧୯।

    

ଛୋଟିଆ ଚାକିରୀ ହୋଇଛି ବିକିରି

    ଦରମା ପାରୁନି ବଢି 

ଅଳପ ଦରମା ଅଣ୍ଟୁନାହିଁ ଜମା

  କୋରଡ଼ା ଉପରେ ବେଡି ।୨୦।

   

କିଏ ବା ବୁଝିବ  ହୃଦୟ ବେଦନା

   ଯେତେ ମୁଁ ଛାଡିଲେ ରଡି 

ଶାଳୀ ଘରବାଲି  ପହଳି କରନ୍ତି

   ଅଫିସର ଯାଏ ଚଢି ।୨୧।"

   

ମାଇପ ଆଦେଶ   ଶୀଘ୍ର ହୁଅ ଫ୍ରେସ 

    ହାତ ଗୋଡ଼ ମୁହଁ ଧୋଇ

ଡେରି କଲ ତୁମେ ଖାଇଦେଲୁ ଆମେ

   ବାଢ଼ିଦେବି ତୁମ ପାଇଁ ।୨୨।

    

ହାତ ଗୋଡ଼ ଧୋଇ ଫ୍ରେସ ମୁଁ ହୋଇ

    ବସିଲି ଚକାକୁ ମାଡି

ଗରମ ଭାତରେ  ଚିକେନ୍ ମଟନ

  ଖାଇବାକୁ ହେଲି ରେଡି ।୨୩।

   

ଭାତ ଥାଳି ସଙ୍ଗେ ମଟନ ବେଲାକୁ

   ଘରମଣି ଦେଲା ଥୋଇ

ଚିକେନ୍ କସାଟି ଆଣିବ କେବେ ସେ

    ରହିଥିଲି ମୁହିଁ ଚାହିଁ ।୨୪।

    

ଭୋକିଲା ପେଟରେ ମଟନ ଲୋଭରେ 

     ପାରିଲିନି ଆଉ ସହି 

ହାତ ପୁରେଇଲି ଝୋଳକୁ ଘାଣ୍ଟିଲି

    ମଟନ ଖାଇବା ପାଇଁ ।୨୫।

    

ଦୁଇ ତିନି ଖଣ୍ଡ ଗିନାଏ ଝୋଳରେ

   ପଙ୍କେ ଚେଙ୍ଗ ମାଛ ପରି

ଖସି ଯାଉଥିଲେ ଏପଟ  ସେପଟ

    ପାରୁ ନଥିଲି ମୁଁ ଧରି ।୨୬।

    

ବହଳ ଝୋଳକୁ ଢାଳିଲି ଭାତରେ

   ବେଲାକୁ ଦେଲି ଶୁଖେଇ

ଚର୍ବି କେଇ ଖଣ୍ଡ ଆଳୁ ସଙ୍ଗେ ମିଶି 

 ହୋଇଲେ ମୋତେ ଖତେଇ ।୨୭।

   

ମନକୁ ବୁଝେଇ ଝୋଳକୁ ଗୋଳେଇ

     ଗେମ୍ଫୁଥିଲି ମୁହିଁ ଭାତ

ଆଳୁ ସଙ୍ଗେ ଚର୍ବି ଚୋବେଇ ଚୋବେଇ

   ଭାବିନେଲି ଖାସି ମାଂସ ।୨୮।

     

ଭାରିଯା ମୋର ଅନ୍ତରାଳେ ଥାଇ 

    କହିଲେ ହେଇଟି ଶୁଣ

'କେମିତି ହେଇଚି ଶାଳୀ ହାତ ରନ୍ଧା 

    ମଟନ ଝୋଳର ଗୁଣ ।୨୯।


ଚିକେନ୍ କସାକୁ  ଆଶା କର କାହିଁ

    ଗେହ୍ଲୀକୁ ଅଣ୍ଟିଲା ନାହିଁ

ହାଣ୍ଡି ଶାଳେ ବସି ଟିକେ ଟିକେ ଚାଖି

  ସବୁ ଦେଇଛି ସେ ଖାଇ ।୩୦।'

    

ଗାଉଁ ଗାଉଁ ହୋଇ କହିଦେଲି ମୁହିଁ

    'ହୁଅନାହିଁ ତରବର

ମଟନ କଣ୍ଟାକୁ   ରକଟି ଖାଉଛି

  ଦାନ୍ତରେ ଭାଙ୍ଗୁନି ମୋର ।୩୧।'

   

ଖାଇସାରି ଭଲ   ମନ୍ଦ ବଖାଣିବି

    ଟିକିଏ ଅପେକ୍ଷା କର

କେତେ ଗୁଣବତୀ ଭଉଣୀ ତୁମର

   ମଟନ ଝୋଳ ତାହାର ।୩୨।'

  


Rate this content
Log in

Similar oriya poem from Comedy