ହେ ସମୟ
ହେ ସମୟ


ହେ ସମୟ
ଅଟକି ଯାଅ ଟିକେ
କେଉଁଠି ନା କେଉଁଠି
ଗୋଟିଏ ମାଇଲ ଖୁଣ୍ଟ ପାଖରେ ।
ଅଟକି ଯାଉ ପୃଥିବୀର ଆବର୍ତ୍ତନ ପରିକ୍ରମଣ
ଅଟକି ଯାଉ ସୂର୍ଯ୍ୟ କିଛି କ୍ଷଣ ପାଇଁ ଆକାଶରେ
ଅଟକି ଯାଉ ଘଣ୍ଟା କଣ୍ଟା
ଚିକ ଚିକ କରୁଥିବା ଡାଏଲ ଉପରେ
କାରଣ .............
ଅନେକ ସମୟ ବାକି ଅଛି
ଏ କବିତାକୁ ଶେଷ କରିବାକୁ ॥
ହେ ସମୟ
ଯାଅନା ଆଗକୁ ଆଗକୁ
ଖୁବ ଶିଘ୍ର ସରି ଯିବ ବୟସ
ଝଡ଼ି ଯିବ ଆୟୁଷ .......
ହେ ସମୟ
ଏବେ ପଛକୁ ଫେର
ଜାକି ଜୂକି ହୋଇ ଶୋଇ ପଡିଥିବା
ସେହି ଅତୀତ ପାଖକୁ ॥
ସେଇଠି ପାଇବି ମୁଁ ମୋ
ହଜିଲା ଜୀବନକୁ ॥
ହେ ସମୟ
ନେଇ ଚାଲ ମୋତେ ମୋ ଷଠୀ ଘରକୁ
ଯେଉଁଠି ଜଳୁଥିଲା ଘଷି ନିଆଁ
ଯେଉଁଠି କାନ୍ଦୁଥିଲି ମୁଁ
କୁଆଁ କୁଆଁ ହୋଇ
ଯେଉଁ ଘରର ଏରୁଣ୍ଡିବନ୍ଧ ପାଖରେ
ପଡି ରହୁଥିଲା ଲୁହା ଖଣ୍ଡେ ।
ହେଁ ସମୟ
ଫେରାଇ ଦିଅ ସେହି ........
ସାତ ସିଆଁ ପ୍ୟାଣ୍ଟ ପିନ୍ଧି ବାଟି ଖେଳ
ଜୋର ବୁଡ଼ା ତୋଡି ମାଛ ଧରା
କାକୁଡ଼ି ନଡ଼ିଆ ଚୋରି କରିବାର ବେଳ
ମୁହଁରେ ପାଉଁଶ ମାଖି
ନଡ଼ିଆ ଷଢ଼େଇ ଓ କଦଳୀ ପାଟୁଙ୍ଗାରେ ମାଇକ ବାନ୍ଧି
ବେହେରା ବାରିରେ ନାଟ କରିବାର ଆନନ୍ଦ
ଖରାବେଳେ ମାଙ୍କଡ ଗୋଡ଼ାର ଚଗଲାମି
ବରଗଛର ଓହଳ ରେ ଡାଳ ମାଙ୍କୁଡି ଖେଳ
ଠାକୁର ପାଟଣାରେ ପଟି ବାଗୁଡ଼ି ଖେଳ
ଧାଡି ଓ ପଙ୍ଗତରେ ଭୋଜିଖିଆ
ଚାହାଳିରେ ପ୍ରଥମେ ଯାଇ ଶୁନ ହେବା
ଖରାବେଳ ଧାନ ସାଉଁଟିବାକୁ ଯିବା
ଫେରାଇ ଦିଅ ....
ସଵୁ ସେଇ ଅଭୁଲା ମୁହୂର୍ତ୍ତ
ହେ ସମୟ
ତୁମ ବେଳାଭୂମିର ଅନେକ ମଣିଷ
ଶୋଇଛନ୍ତି ସେହି ମଶାଣି ମାଟିରେ
ଏବେ ବି ଉଡୁଛି ପାଉଁଶ
ମଶାଣି ଛାତିରେ
ହସୁଛନ୍ତି ସମାଧି ସଵୁ
ମଶାଣି ମାଟିରେ ।
ହେ ସମୟ
ଚାଲ ଯିବା
ଉଠାଇବା ସେମାନଙ୍କୁ
କଥା ହେବା ସେମାନଙ୍କ ସହିତ
ପଚାରି ବୁଝିବା ତାଙ୍କ ସମୟର କଥା ॥