ଏତେ କଳିକାଳ ରୀତି
ଏତେ କଳିକାଳ ରୀତି


ଏତ କଳିକାଳ ରୀତି ହୋ ସୁଜନେ
ଏତ କଳି କାଳ ରୀତି,
ଭଲ ହୋଇଯାଏ ଭେଲ ଭାଇ ଏଠି
ଆଜିକାର ଅନୁଭୂତି।
ମୁଁ ଯଦି ଚାହୁଁଛି ତୁମର ଉନ୍ନତି
ତୁମ ମତି ହୁଏ ଭ୍ରାନ୍ତି,
ତୁମେ ଭାବୁଅଛ ଏହାର କିଛିଟା
ସ୍ଵାର୍ଥ ବୋଧେ ରହିଅଛି।
ତଥାପି ଏ ସବୁ ମୁଣ୍ଡକୁ ନ ଆଣି
ତୁମ ଉପକାର କଲି,
ତୁମେ ଉପକୃତ ହୋଇଗଲ ସିନା
ମୁଁ କିନ୍ତୁ ଦୁଃଖ ସହିଲି।
ଉପକାର କରିଥିବା ଲୋକଟିକୁ
ଶୀଘ୍ର ତୁମେ ଗଲ ଭୁଲି,
ଯଦିବା ଦୈବାତ କିଛି ହାନି ହେଲା
ମୋ ନିନ୍ଦା ଗାଇଲ ବୁଲି।
ଖାଇଗଲା ଇଏ ନେଇଗଲା ଇଏ
ମୋତେ ବରବାଦ କଲା,
ଅନେକ ଗୁଡ଼ିଏ କୁଭାବନା ସବୁ
ତୁମ ମନକୁ ଛୁଇଁଲା।
କଳିକାଳ ଦ୍ଵାହୀ ମଣିଷକୁ ଦେଇ
ମୋ ମୁଣ୍ଡେ କଳଙ୍କ ଦେଲ,
କଳିର ମହିମା ପ୍ରଚାର କରିଲ
ପାଇଲନି ମୋତେ ଭଲ।
ଭଲ କଲେ ମଲ ମନ୍ଦ କଲେ ମଲ
କଳିର ଦୁଇଟି କଥା,
ସେଇଠି ଅଡ଼ୁଆ ଯେଉଁଠାରେ ବାବୁ
ପୁରେଇଲ ନିଜ ମଥା।
ବାଟରେ କାହାକୁ ଲିଫ୍ଟ ଆଣିବାକୁ
ଆଜି ଭୟ ଲାଗିଲାଣି,
ଯଦିବା କାହାକୁ ଡ଼ାକ ଆଣିବାକୁ
ସିଏ ସନ୍ଦେହ କଲାଣି।
ଏ କଳିଯୁଗରେ ଏତେ ଭଲ ଲୋକ
କେଉଁଠି ଏ ଆସିଲାଣି,
ବିନାସ୍ଵାର୍ଥେ ମତେ ସାହାଯ୍ୟ କରିବ
ବୋଲି ଇଏ କହିଲାଣି।
ଅଚିହ୍ନା ଲେଡିଜ୍ ଲିଫ୍ଟ ମାଗୁଛନ୍ତି
ସନ୍ଦେହ ହୁଏ ବି ସେଠି,
ଯଦିବା ଡାକିଲ କେଉଁ ମହିଳାକୁ
ସିଏ ବି କିଛି ଭାବୁଛି।
ବିନା ସ୍ଵାର୍ଥ ବିନା ମତଲବେ ରଖି
କ୍ଵଚିତ କରନ୍ତି ସେବା,
ଅଧିକାଂଶ ଏଠି ଦେବା ବଦଳରେ
ଲକ୍ଷ୍ୟ ରଖିଛନ୍ତି ନେବା।
ସ୍ଵାର୍ଥକୁ ଯାବୁଡି ମାୟା ମୋହେ ପଡ଼ି
ଅର୍ଥ ଗଣ୍ଠିଧନ କରି,
ସତେ ଯେମିତିକି ନେଇଯିବ ଧନ
ଯେତେବେଳେ ଯିବ ମର
ି।
ଅଧା ବୁଢାବୁଢୀ ପ୍ରେମ କଳିକାଳେ
ପରକିୟା ପ୍ରୀତି ସାଜେ,
ୟା' ଲାଗି ଅନେକ ଜୀବନ ଯାଉଛି
ଅନେକ ସଂସାର ଭାଜେ।
ଦିନକର କଥା ନିରୋଳା ମୁହୂର୍ତ୍ତେ
ସୁବର୍ଣ୍ଣ ସୁଯୋଗ ଦେଖି,
ରଙ୍ଗନାନୀ ସହ ଭାବ ଦିଆନିଆ
ଚାଲେ ପରକିୟା ପ୍ରୀତି।
ପାଖର ପଡୋଶୀ ଏ ସବୁକୁ ଦେଖି
ମୁହଁ ଯଦି ଦେଲା ଖୋଲି,
ଏଇଥି ପାଇଁକି ଦୁଷ୍କର୍ମ କେସ୍ରେ
ଜେଲ୍ ଗଲା ନିଜେ ଚାଲି।
ଅବିଶ୍ବାସ ଖାଲି ଅବିଶ୍ବାସ ଆଉ
ସନ୍ଦେହ ଖାଲି ସନ୍ଦେହ,
ଯାହାକୁ ଦେଖିବ ସିଏ ସ୍ବାର୍ଥପର
ମିଳେନି ଖୋଲା ହୃଦୟ।
କ୍ଷମତାଶାଳୀ ଓ ପଇସା ବାଲାକୁ
ବସ୍ ସିଟ୍ ଏଠି ମିଳେ,
ନିରୀହ ଗରୀବ ଟିକେଟ କରି ବି
ଠିଆଠିଆ ଯାତ୍ରା କରେ।
ସତ ଦେଖୁଥିବେ ଚୁପ୍ ରହୁଥିବେ
ମିଛ ପାଇଁ ସାକ୍ଷୀ ଦେବେ,
ଧନୀ ହେଉ ମୂର୍ଖ ସଭାରେ ପଣ୍ଡିତ
ସତୁଆ ଦଣ୍ଡ ପାଇବେ।
ସାଙ୍ଗ ଆଜି ସାଙ୍ଗ ହୋଇ ରହୁନାହିଁ
ସାଙ୍ଗ ପାଇଁ ଖୋଜେ ଫାନ୍ଦ,
ବନ୍ଧୁ ଶବ୍ଦ ଆଜି ବନ୍ଧୁକ ଭାବରେ
ଶୋଭାପାଏ ବନ୍ଧୁ କାନ୍ଧ।
କଳି ପ୍ରାଦୁର୍ଭାବ ମଣିଷ ସ୍ଵଭାବ
କାମନା ଲାଳସା ଲୋଭ,
ପଇସା କ୍ଷମତା ଯା'ଠାରେ ରହିଛି
ତାକୁ ସଂସାର ମାନିବ।
ଚାଟୁକାର ମାନେ ତିଷ୍ଠିବେ ସଂସାରେ
ସାରୁ ପରିବା ସେ ହୋଇ,
ସତକୁହା ଲୋକେ ପଦାରେ ପଡିବେ
କଳିଯୁଗ ଭାବ ଏହି।
ସାଧୁ ବଞ୍ଚଉଛି ବୃଶ୍ଚିକକୁ ଏଠି
ବୃଶ୍ଚିକର ନାହିଁ ଦୟା,
ବୃଶ୍ଚିକର ଧର୍ମ ଅନ୍ୟକୁ ଦଂଶିବା
ସାଧୁ କାନ୍ଦୁଥାଏ ଯାହା ।
ତଥାପି ନ ଭାବି ମନେ ଭାଇ କିଛି
ସତ୍ୟ ପଥେ ଚାଲୁଥାଅ,
ସତ୍ୟ ଯୁଗେ ଯୁଗେ ଜିତିଛି ଜିତିବ
ଅସତ୍ଯର ପରାଜୟ।
(ପାଳକଣା, କୋରୋ, କେନ୍ଦ୍ରାପଡ଼ା
ମୋ - ୭୮୯୪୩୯୮୫୦୦)