କଥା ଅସରନ୍ତି
କଥା ଅସରନ୍ତି
ସୁରସେନ ରାଜ୍ୟେ ଥିଲେ ଜଣେ ରାଜା
ନାମ ତାଙ୍କ ପରନ୍ତପ
କରିଲେ ଘୋଷଣା ଶୁଣିବେ ନିଶ୍ଚୟ
ଅସରନ୍ତି ଗୀତ ଗପ ।
ନ କହିବା ଯାଏ କରିବେନି ବନ୍ଦ
ଚାଲୁଥିବ ଅହରହ
ଜିଣିବ ଯିଏ ସେ ପାଇବ ଅର୍ଦ୍ଧେକ
ରାଜ୍ୟରୁ ଭାଗ ନିଶ୍ଚୟ ।
ଅବୁଝା ରାଜାଙ୍କ ଶୁଣିଣ ଆଦେଶ
ଗଣିଲେ ମନ୍ତ୍ରୀ ପ୍ରମାଦ
ଆସିଲେ ଯେତେକ କଥା ଗୀତିକାର
ସମସ୍ତେ ହୋଇଲେ ବ୍ୟର୍ଥ ।
ତାଗିଦ କରିଲେ ମନ୍ତ୍ରୀ ପାରିଷଦେ
ରାଜା ଥିଲେ ଏକବୁଝା
ରାଜାଙ୍କ ଏମନ୍ତ ଦେଖି ମତିଗତି
ଦୁଃଖ ପାଉଥିଲେ ପ୍ରଜା ।
ଶେଷକୁ ଚତୁର ମନ୍ତ୍ରୀଙ୍କ ମୁଣ୍ଡରେ
ପଶିଲା ଉପାୟ ଏକ
ପିନ୍ଧି ଚିରାଫଟା ଛଦମବେଶରେ
ନିଜେ ହେଲେ ଉପସ୍ଥିତ ।
ଦ୍ୱ ।ରପାଳ ଦେଖି ମନ୍ତ୍ରୀଙ୍କ ପୋଷାକ
ପାରିଲେନି ମୋଟେ ଚିହ୍ନି
କହିଲେ ଦିଶୁଛ ଅତ୍ୟନ୍ତ ଗରୀବ
ଦେଖାଇ ହେଉଛ ଜ୍ଞାନୀ ।
ଶୁଣି ପାଟିଗୋଳ ଡକାଇଲେ ରାଜା
କହିଲେ ଜାଣିଛ ସର୍ତ୍ତ
ଜିତିଲେ ପାଇବ ରାଜ୍ୟରୁ ଅର୍ଦ୍ଧେକ
ନତୁବା ମିଳିବ ବେତ ।
ରାଜି ହୋଇ ମନ୍ତ୍ରୀ କରିଲେ ଆରମ୍ଭ
ମଣିମା ହେଉ ଶୁଣିମା
ଆମରି ରାଇଜେ ଏସନ ହୋଇଛି
ଆଖୁଚାଷ ଖାଣ୍ଟି ସୁନା ।
ଚାଷୀମାନେ ତାକୁ କରିବେ ଅମଳ
ଆଣିବା ତାହାକୁ କିଣି
କାରଖାନା ଖୋଲି ବସ୍ତାବସ୍ତା ଖାଲି
ଢେରା ମାରିଦେବା ଚିନି ।
ଆସିବେ ବହୁତ ଜନ୍ଦା ଓ ପିମ୍ପୁଡି
ଲଗାଇ ବସିବେ ଧାର
ଗୋଟିଏ ଆସିବ ବୋହିନେବ ଏକ
ଆସିବ ଅନ୍ୟ ତାପର ।
ତାପରେ ଆସିବ ଆହୁରି ଗୋଟିଏ
ପଛକୁ ପୁଣି ଗୋଟିଏ
ନେବେ ଜଣ ଜଣ ଗୋଟିଏ ଗୋଟିଏ
ତାପରେ ଆସିବେ ଅନ୍ୟେ ।
ବିରକ୍ତିରେ ରାଜା କହିଲେ ପାଗଳ
ତୁମେ ବଡ଼ କଥାକାର
ଆସୁଥିବେ ତୁମ ପିମ୍ପୁଡି ଏମିତି
ଗୋଟିଏ ପରକୁ ପର ।
ସରିବନି ତୁମ ଚିନି କି ପିମ୍ପୁଡି
ଏ ଗପ ବିରକ୍ତିକର
ଛଦ୍ମବେଶୀ ମନ୍ତ୍ରୀ କହିଲେ ରାଜନ
ସତ୍ୟ ରାଜା ରକ୍ଷା କର ।
ଦିଅ ମୋତେ ଅଧା ରାଇଜୁ ତୁମର
ଦେଇଥିଲ ପରା କଥା
ଜଳକା ହୋଇକି ଚାହିଁ ଛନ୍ତି ରାଜା
କୁନ୍ଥୁ କୁନ୍ଥୁ ମନେବ୍ୟଥା ।
ଛଦ୍ମବେଶ ଖୋଲି କହିଲେ ଚତୁର
ମନ୍ତ୍ରୀବର ହସିହସି
ଲୋଡା ନାହିଁ ମୋର ରାଜ୍ୟରୁ ଅର୍ଦ୍ଧେକ
ଆପଣ ରହନ୍ତୁ ଖୁସି ।
ଖିଆଲରେ ନୁହେଁ ସୁଶାସନ କରି
ବୁଝ ପ୍ରଜା ସୁଖଦୁଃଖ
ତାହେଲେ ହୋଇବ ମଙ୍ଗଳ କଲ୍ୟାଣ
ଆପଣା ସୁଖେ ନ ଭାସ ।
ରାଜନ ବୁଝିଲେ ରାଜ୍ୟ ଭଲମନ୍ଦ
ସଭିଏଁ ହୋଇଲେ ଖୁସି
ଯାଇଥିଲି ମୁହିଁ ଶୁଣିବାକୁ କଥା
ଶୁଣାଉଛି ଏଠି ଆସି ।
