STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Comedy

ଚାଲ ଆମେ ସବୁ ଗରିବ ହେବା

ଚାଲ ଆମେ ସବୁ ଗରିବ ହେବା

2 mins
367

ଚାଲ ଭାଇ ଆମେ ଗରିବ ହେବା

ମାଗଣା ଯୋଜନା ସୁବିଧା ନେବା

କର୍ମକୋଢି ହୋଇ ବଞ୍ଚି ରହିବା

ଯୋଜନା ଫଳରୁ ଭାଗ ପାଇବାକୁ

ଭାଗ ଦେଇ ଆମ ଭାଗ ଆଣିବା 

ଚାଲ ଆମେ ସବୁ ଗରିବ ହେବା...।


ନେତା ମନ୍ତ୍ରୀଙ୍କର କଥା ମାନିବା

ଦଳୀୟ ନୀତିକୁ ଆଦରି ନେବା

ଟଙ୍କା ନେଇ ତାଙ୍କୁ ଭୋଅଟ ଦେବା

ଅଯୋଗ୍ୟ ନେତାଙ୍କୁ ଆସନ ଶାସନ

କ୍ଷମତା ଡୋରକୁ ଧରେଇ ଦେବା 

ଚାଲ ଆମେ ସବୁ ଗରିବ ହେବା...।


ଆସ ଅଳସୁଆ ସମସ୍ତେ ହେବା

ମାଗଣା ଚାଉଳ ଘରକୁ ନେବା

ବିକ୍ରି କରି ତାକୁ ଟଙ୍କା ଆଣିବା

ଆହାର କେନ୍ଦ୍ରରେ ପାଞ୍ଚ ଟଙ୍କା ଦେଇ

ଭାତ ଡାଲି ଖଟା ପେଟେ ଖାଇବା 

ଚାଲ ଆମେ ସବୁ ଗରିବ ହେବା...।


ବସି ଶୋଇ ରୋଗ ବ୍ୟାଧି ଭୋଗିବା

ଡାକ୍ତରଖାନାକୁ ଗାଡ଼ିରେ ଯିବା

ପରୀକ୍ଷା ନିରୀକ୍ଷା ସବୁ କରିବା

ନିରାମୟ ସେବା ଚିଠା ଦେଖେଇବା

ମାଗଣା ଔଷଧ ଧରି ଫେରିବା 

ଚାଲ ଆମେ ସବୁ ଗରିବ ହେବା...।


ଗାଡି ଡ଼ଙ୍ଗା ଫ୍ରିଜ ଶୀଘ୍ର ବିକିବା

ଗୃହ ଯୋଜନାରେ ସାମିଲି ହେବା

ମାଗଣାରେ ପକ୍କା ଘର ପାଇବା

ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା

ଛାତ ତଳେ ଆମେ ମୁଣ୍ଡ ଗୁଞ୍ଜିବା 

ଚାଲ ଆମେ ସବୁ ଗରିବ ହେବା...।


ଗାଡି ଟିଭି ଫ୍ରିଜ଼ ପୁଣି କିଣିବା

ପକ୍କା ଘରେ ଆଣି ତାକୁ ରଖିବା

ବିଜୁ ଗ୍ରାମଜ୍ୟୋତି ଫାଇଦା ନେବା

ଉଜ୍ୱଳା ଯୋଜନା ଚୁଲା ବି ମାଗଣା

ଧୂଆଁହୀନ ଜାଳ ଘରେ ଜାଳିବା 

ଚାଲ ଆମେ ସବୁ ଗରିବ ହେବା...।


ଅନ୍ୟ ଜାତି ଝିଅ ବାହା ହୋଇବା

ସରକାର ଠାରୁ ଟଙ୍କା ପାଇବା

ପିତାମାତା ହୋଇ ଛୁଆ କରିବା

ଜନନୀ ମମତା ଯୋଜନା ମାଗଣା

ଡାକ୍ତରଖାନାରେ ଜନମ ଦେବା 

ଚାଲ ଆମେ ସବୁ ଗରିବ ହେବା...।


ସୁକନ୍ୟା ଯୋଜନା ପଇସା ନେବା

ଭବିଷ୍ୟତ ପାଇଁ ସଞ୍ଚି ରଖିବା

କନ୍ୟା ରତନକୁ ଘରେ ପାଳିବା

ବୟସ ହୋଇଲେ ଭଲ ପାତ୍ର ଦେଖି

ସେହି ପଇସାରେ ବାହା କରିବା 

ଚାଲ ଆମେ ସବୁ ଗରିବ ହେବା...।


ଚାଷୀ ପାଇଁ ବେଶି ସର୍କାରୀ ସେବା

କାଳିଆ ଯୋଜନା ପଇସା ନେବା

ଚାଷବାସ କାମେ ଲଗେଇ ଦେବା

ନିଅଣ୍ଟିଆ ହେଲେ ଋଣ ଭାର ନେଇ

ଦେଶକୁ ଆହାର ଯୋଗାଉ ଥିବା

ଚାଲ ଆମେ ସବୁ ଗରିବ ହେବା...।


ଧାନ ବସ୍ତା ବୋହି ମଣ୍ଡିକୁ ନେବା

ରାତି ଦିନ ସେଠି ଜଗି ବସିବା

ଅଭାବୀ ବିକ୍ରିର ଶିକାର ହେବା

ରାଇଜ କେନ୍ଦର କନ୍ଦଳ ଭିତରେ

ଦଲାଲକୁ ଆମେ ଫାଇଦା ଦେବା

ଚାଲ ଆମେ ସବୁ ଗରିବ ହେବା...।


ବୟସ ବଢିଲେ ବୁଢା ହୋଇବା

ଆୟୁଷ ପୁରିଲେ ମଶାଣି ଯିବା

ପିଲାଙ୍କୁ କାହିଁକି କଷ୍ଟ ବା ଦେବା

ହରିଶ୍ଚନ୍ଦ୍ରଙ୍କର ଯୋଜନା ଟଙ୍କାରେ 

ଶୁଦ୍ଧି କ୍ରିୟା ଭୋଜିଭାତ ସାରିବା 

ଚାଲ ଆମେ ସବୁ ଗରିବ ହେବା...।


ଜନ୍ମରୁ ମରଣ କେତେ ଯୋଜନା

ଯୋଗାଉଛି ସବୁ ପୁରା ମାଗଣା

ନେବା ପାଇଁ ପଡେ କିଛି ପାଉଣା

ଯୋଗ୍ୟ ଅଯୋଗ୍ୟକୁ କିଏ ପରଖୁଛି

ଧନ୍ୟ ଆମର ଏ ଗରିବ ଗଣା 

ଚାଲ ଆମେ ସବୁ ଗରିବ ହେବା...। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy