ଜାଗ ଜଗନ୍ନାଥ ଜାଗ
ଜାଗ ଜଗନ୍ନାଥ ଜାଗ
ଜାଗ ଜଗନ୍ନାଥ ଜାଗ
ଆଭାକାନ୍ତ ମହାନ୍ତି
ଜାଗ ଜଗନ୍ନାଥ ଜାଗତିଆରରେ
ଯୁଗ ଜଉଘରେ ଜଳେ,
କଳିପାରିବନି କାଳ କୁପ୍ରଭାବ
ସାମ୍ପ୍ରତିକ କଳିକାଳେ !
ସମାଜ ସିଆଣା ସାଜି ସଜାଉଛି
ଶିରା ଶିରା ଶଠତାକୁ,
ସୁକୁସୁକୁ କାନ୍ଦି ସଂସ୍କୃତି ସାଉଁଟେ
ଶୁଖିଲା ସେ ସ୍ମୃତିଟାକୁ !
ସମ୍ପ୍ରତି ସାହିତ୍ୟ ସମୁଦ୍ର ସେପଟୁ
ଶୋଷୁଅଛି ଶାଳୀନତା,
ଗାଇ ହୁଏନାହିଁ ଗୀତର ଗୁଣାଙ୍କ
ଗରିମା ହେବନି ଗୁନ୍ଥା !
ଛଳେ ଛନ୍ଦହୀନେ ଛଟପଟ ଛାଇ
କବିତାଟି ଛଳଛଳି,
ଗୁଣ ଗଣତିରେ ଗଣାଯାଏ କବି
ଗରିମାର ଗୁଳୁଗୁଳି !
ଭଣତିଆ ଭାବ ଭଉଁରୀ ଭିତରେ
ଭର୍ତ୍ସନା ବି ଭଜି ରହୁ,
ପରିଚର୍ଯ୍ୟା ପାଏ କବିର ପାହିଆ
ପଦବୀ ପଖଳା ମହୁ !
କାବ୍ୟ କକ୍ଷା କଷା କ୍ରମାଙ୍କ କାଖେଇ
କରୁନଥାଉ ବି କୋଳ,
କାବ୍ୟକାର, କାବ୍ୟକୁହାରେ କୁଣ୍ଠିତେ
କିଏ କମାଇବ ଗୋଳ ?
ଯାହା ହେଉ ଯୁଗ, ଯିଏ ଯାହା କହୁ
କବି ଜଗତିରେ ଜଗା,
ତର୍ଜନୀକୁ ତୋଳି ତିଆରିବ କିଏ
ତୋଷେ ଅସନ୍ତୋଷ ପଘା ?
ଏ ଭାବେ ଏଡ଼ାଇ ଐତିହ୍ୟ ଐଶ୍ୱର୍ଯ୍ୟ
ଏ ପଥର ଐରାବତ,
ସମ୍ପ୍ରତି ସମାଜେ ସଜାନ୍ତି ସତୈଳେ
ଶାସକ ଶୋଷା ସାହିତ୍ୟ !
ସମାଜ ଶୋଧନ ସାଧନେ ସାହିତ୍ୟ
ସୃଜୁନାହିଁ ସଂଜୀବନୀ,
ଗୋଟିକିଆ ଗୋଟା ପଣରେ ଗଚ୍ଛିତ
କରେ ଗଦ୍ୟ ଗଦ ଗଣି !
ଏକା ଏଡ଼ାଇବ ଏଣ୍ଡୁଅପଣକୁ
ଏତେ ଆସ୍ପର୍ଦ୍ଧା ତା କାହିଁ ?
ସଂସ୍କୃତି-ପାସୋରା ସାଜୁଛି ସମାଜ
ଶରଶଯ୍ୟାଟିରେ ଶୋଇ !
ଦେଉଳ ଦୁଆରେ ଦୀନକୃଷ୍ଣ ଦାସେ
ଦମ୍ଭେ ଗାଇବେନି ଗୀତ,
ଛନ୍ଦ ବିହୀନରେ ଛନ୍ଦାଛନ୍ଦି ହୋଇ
ଛଳକୁଛି ଯା' କବିତ୍ୱ !
ଅବିଶ୍ୱାସ ନୁହେଁ, ଆଉ ଅଳ୍ପଦିନେ
ଆଳତି ଅର୍ପିତ ମନ୍ତ୍ର,
ଆଧୁନିକତାର ଆଧାର ଆଙ୍କିବ
ଅଦ୍ଭୁତ ଆସ୍ଫାଳ ଯନ୍ତ୍ର !
ଜାଣି ଜଣାଉଛି ଜାଗ ଜଗନ୍ନାଥ
ଜାଗ ଜାଗୃତିକ ଭାବେ,
ଉଦ୍ବାର୍ଯ୍ୟ ଆକାଶେ ଉଆଁଇ ଆଣ ହେ
ଉଚିତେ ଉଚିତ ଗର୍ବେ !
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****