ରଜଗୀତ
ରଜଗୀତ


ଆସିଛି ରଜ ମଉଜ ଲୋ ବଉଳ
ଆସିଛି ରଜ ମଉଜ,
ବନସ୍ତରେ ଆଉ କିଏ ଡାକିବ ଲୋ
ସପୁରୀ ରେ ମଲା ଗଜ ।
ଉଡ଼ିଗଲା ଗେଣ୍ଡାଳିଆ ଲୋ ବଉଳ
ଉଡ଼ିଗଲା ଗେଣ୍ଡାଳିଆ,
ଦୋଳି ବାନ୍ଧିବାକୁ ଗଛଗୋଟେ ନାହିଁ
କଂକ୍ରିଟ ଜଙ୍ଗଲ ଠିଆ ।
ଲୁଡୁ କଉଡି ର ଖେଳ ଲୋ ବଉଳ
ଲୁଡୁ କଉଡ଼ିର ଖେଳ,
ସାଙ୍ଗ ସାଥୀଙ୍କର ନହୁଏ ମେଳ ଲୋ
ଘଷା ମୋବାଇଲି କାଳ ।
ବିରି ଚାଉଳର ପିଠା ଲୋ ବଉଳ
ବିରି ଚାଉଳର ପିଠା,
ଆଜିକା ଛୁଆଙ୍କୁ ଲାଗୁଛି ପିତା ଲୋ
ପିଜା ବରଗର ମିଠା ।
ଉଡ଼ିଗଲା ସରୁ ବାଲି ଲୋ ବଉଳ
ଉଡ଼ିଗଲା ସରୁ ବାଲି,
ଝିଅ ଯାଇଅଛି ଟିକ ଟକ୍ କରି
ଦୋଳି ପଡ଼ିଅଛି ଖାଲି ।
ଗାଆଁମୁଣ୍ଡେ ବର ଦୋଳି ଲୋ ବଉଳ
ଗାଆଁମୁଣ୍ଡେ ବର ଦୋଳି,
ବାଗୁଡି ନଖେଳି ପୁଅ ଯାଇଛି ଲୋ
କିରିକେଟ ଖେଳ ଖେଳି ।
ଜାମୁକୋଳି ବଡ଼ କଷା ଲୋ ବଉଳ
ଜାମୁକୋଳି ବଡ଼ କଷା,
ଗାଆଁ ଗୋଟାଯାକ ବୁଲି ଆସିଲି ଲୋ
କେହି ଖେଳୁନାହିଁ ପଶା ।
ବୁଡ଼ିଗଲା ପରମ୍ପରା ଲୋ ବଉଳ
ବୁଡ଼ିଗଲା ପରମ୍ପରା,
ପରିବେଶ ଆଜି ହୋଇଲା ଧ୍ୱଂସ ଲୋ
ଉତ୍ତପ୍ତ ହୋଇଲା ଧରା ।