ଅଧା ରହିଗଲା ସପନ
ଅଧା ରହିଗଲା ସପନ
ପ୍ରେମ ଦିବସରେ ଭାବିଥିଲି ଗୋଟେ
ପ୍ରେମ କବିତା ମୁଁ ଲେଖିବି
ଭାରିଯାକୁ ଛାଡ଼ି ଆଉ କା' ସାଥିରେ
ରଙ୍ଗୀନ ସପନ ଦେଖିବି ।
ସବୁବେଳେ ହୁଏ କଟର କଟର
ତା' ଠାରେ ମନଟା ଲାଗୁନି
ଘସରା ମୁହଁକୁ ଦେଖିଲେ ପୁଲକ
ଆଉ ମୋ ଦେହରେ ଜାଗୁନି ।
ଛୁଆପିଲାଙ୍କର ଜଞ୍ଜାଳ ଭିତରେ
ତର କାହିଁ କହ ମିଳୁଛି
ଭଲକରି ଗଣ୍ଡେ ଖାଇ ବି ପାରୁନି
ତରତର ହୋଇ ଗିଳୁଛି ।
ପୁଅ ବୋହୂ ଆଉ ନାତି ନାତୁଣୀକୁ
କେତେ ମନେମନେ ଡରିବି
ଆଜିଠୁ ଭାବୁଛି , ସୁନ୍ଦରୀ ଦେଖିକି
ପ୍ରେମ ନିବେଦନ କରିବି ।
ବୟସ ହେଲାଣି ଚଉବନ , ହେଲେ
ଯଉବନ ପଡ଼େ ଉକୁଟି
ପାଖଘରେ ଅଛି ଭାଉଜ ଗୋଟିଏ
ଡାକ ନାଆଁ ତା'ର ସୁକୁଟି ।
ସପନ ତାକୁ ମୁଁ ଦେଖୁଥିଲି , ନିଦ
ଭାଙ୍ଗିଗଲା କୋଉ ବାଗରେ
ଦେଖିଲି ଭାରିଯା' ଛାଞ୍ଚୁଣୀ ଧରିକି
ଉଭା ହୋଇଛି ମୋ ଆଗରେ ।