STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ରାବଣ ପୋଡି

ରାବଣ ପୋଡି

1 min
10


ମୁଁ ରାବଣ କହୁଛି ଶୁଣ

   ଯେତେକ ରାମ ସୈନ୍ୟ,

ରାବଣ ପୋଡି ଉତ୍ସବ କରି 

   ଦେଖାଅ ବଡପଣ।

କାଲି ସନ୍ଧ୍ୟାରେ ଯେଉଁ ରାବଣ

   ଯୋଉଠି ଦେଲ ପୋଡ଼ି,

ସେହି ରାବଣ ଆଜି ହସନ୍ତି 

   ନିଜ ନିଶକୁ‌ ମୋଡ଼ି।

ପ୍ରଭୁ ଶ୍ରୀରାମ ସେହି ରାବଣ

   ବଧ କରିବା ପାଇଁ,

ଦେବୀ ଦୁର୍ଗାଙ୍କୁ କରିଲେ ପୂଜା 

   ଅନେକ କଷ୍ଟ ସହି।

ତ୍ରେତୟା ଯୁଗ ନାହିଁରେ ଭାଇ

   ଏ ପରା କଳିଯୁଗ,

ତେଣୁ ଏ ଯୁଗ ରାବଣ ମୁହିଁ 

   ହେବିନି କେବେ ବଧ।

ସୋଲ ବାଉଁଶ କାଗଜ ରଙ୍ଗ 

   ତିଆରି ରାବଣକୁ,

ପୋଡ଼ି ଦେଇକି ଖୁସି ହେଉଛ

   ଉତ୍ସବ ପାଳିବାକୁ‌।

ମୋର ଜୀବନ ବହୁତ ଟାଣ

   ଜାଣରେ‌ ନରଗଣ‌,

ସମଗ୍ର ବିଶ୍ଵ କରିବି ଧ୍ଵଂସ 

   କରିଅଛି ମୁଁ ପଣ।

ପ୍ରତ୍ୟେକଠାରେ ମୁଁ ସହଜରେ

   ବିହର କରିପାରେ,

ଯେତେ ଯେଉଁଠି ଦେଖ ଦୁର୍ନୀତି

    ମୋହରି ମାୟାବଳେ‌।

ଯେଉଁଠି ଦେଖ ନାରୀ ଯେତେକ 

    ହୁଅନ୍ତି ବଳାତ୍କାର,

ସେ କାର୍ଯ୍ୟେ ଲିପ୍ତ ଥାଆନ୍ତି ନିଶ୍ଚେ

    ମୋହରି ବଂଶଧର‌।

ମୋ ଆତ୍ମା ଘଟେ ଘଟେ ବଞ୍ଚିଛି 

    ନେବାକୁ ପ୍ରତିଶୋଧ,

କେହି ବି କରି ପାରିବ ନାହିଁ 

    ମୋହର କେବେ ବଧ।

ସମଗ୍ର ସୃଷ୍ଟି ଯେଯାଏ‌ ଅଛି 

    ସେ ଯାଏ ଅଛି ମୁହିଁ,

ଅହଂ ନାମରେ ଏହି ଯୁଗରେ

    ମୁଁ ସେହି ଲଙ୍କସାଇ‌ଁ।

କାମନା,ଦ୍ଵୈଷ,କ୍ରୋଧ ଯେତେକ 

    ମୋହର ସହୋଦର,

ସତ ଭଳିଆ ବିଭୀଷଣକୁ 

    ମୋହର ହତାଦର।

ରାଜସ୍ବ ଖାଏ ବ୍ରହ୍ମସ୍ଵ‌ ଖାଏ 

    ଦେବସ୍ଵ‌ ନିତି ଖାଏ,

ସର୍ବସ୍ବ ଖାଇ ଯେ କୁମ୍ଭକର୍ଣ୍ଣ 

    ପରି ନିଶ୍ଚିନ୍ତେ‌ ଶୁଏ।

ମୁଁ ସବୁ ଯୁଗେ ଅଛି ରହିବି

    ପାଇଛି ବରଦାନ,

ରାବଣ ବିନା ଯେ ରାମାୟଣ

    ପୁରାଣ ଅସମ୍ପୂର୍ଣ୍ଣ।

ସତ୍ୟ ଅସତ୍ଯ ଧର୍ମ ଅଧର୍ମ

    ନେଇ ସଂସାର ଖେଳ,

ରାମ ରାବଣ ଲଢେ଼ଇ ଏଠି

    ଚାଲିଛି ସବୁବେଳ।

ରାବଣ ପୋଡି ଉତ୍ସବ ହେଉ

    ଆନନ୍ଦ ଲାଗିଥାଉ‌,

"ମୁଁ"କାର ଦୁରାଚାର ରାବଣ

   ପୋଡିକି‌ ଭସ୍ମ ହେଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy