ଭାଗବତ ଟୁଙ୍ଗି ବନାମ କୋଠ ଘର
ଭାଗବତ ଟୁଙ୍ଗି ବନାମ କୋଠ ଘର
ଗାଆଁ ଭାଗବତ ଟୁଙ୍ଗି ଥିଲା ସତ
ଏକତାର ମାପ କାଠି
ଦେଲେ ସରକାର ଗାଆଁ କୋଠ ଘର
କଳି ମଞ୍ଜି ଦେଲେ ପୋତି ।
ପ୍ରତି ସନ୍ଧ୍ୟା କାଳେ ଟୁଙ୍ଗି ପ୍ରାଙ୍ଗଣରେ
ହେଉଥିଲେ ଏକମେଳି
ଖୋଲା କୋଠ ଘର ଚବିଶ ଘଣ୍ଟା ତ
ଟୋକାଏ ଛାଡ଼ନ୍ତି ରଡି ।
ଥିଲେ ଅଶିକ୍ଷିତ ଜେଜେ ବାପା ସେତ
ଧର୍ମ ପଥେ ଥିଲା ମନ
ଗଣା ଶିକ୍ଷିତରେ ଏ ଟୋକା ଦଳରେ
କଳି ତର୍କ ତ ଭୂଷଣ ।
ମାନି ବଡ଼ ସାନ ବିତାନ୍ତି ଜୀବନ
ଭାଇଚାରା ମିତ୍ରପଣ
ନାହିଁ ବଡ଼ ସାନ ସଭିଏଁ ସମାନ
ଦଙ୍ଗା ହାଙ୍ଗାମାରେ ମନ ।
ପଢୁଥିଲେ ସଦା ଗୀତା ଭାଗବତ
ସର୍ବେ ହୋଇ ଏକ ମେଳି
ବସି କୋଠ ଘରେ ଏହି ଟୋକା ଦଳେ
ଭେଉଁଛନ୍ତି ନାନା କଳି ।
ଛନ୍ଦ କପଟରେ ନ ଥିଲା କା ମନ
ପରଦୁଃଖେ ଦୁଃଖୀ ହୋଇ.
କପଟରେ ଭରା ଯୁବ ଗୋଷ୍ଟି ପରା
ନିଜ ସ୍ୱାର୍ଥ ପାଇଁ ବାଇ ।
ବାଣ୍ଟି ଖାଉଥିଲେ ପ୍ରଭୁଙ୍କ ପ୍ରସାଦ
ବିଶ୍ୱାସରେ ଭଗବାନ
ବାଣ୍ଟି ଖାଉଛନ୍ତି ଫରେନ ଲିକର
ଗଡଇ ବୋତଲ ମାନ ।
ଅନ୍ୟାୟ ଅନୀତି ଡରେ ଲୁଚୁଥିଲା
ଦେଖି ତାଙ୍କ ସାଧୁ ପଣ.
ନିମନ୍ତ୍ରଣ ପତ୍ର ଦେଇ ଡାକେ ଦେଖ
ଅନ୍ୟାୟକୁ ଯୁବଗଣ ।
ମାନୁଥିଲେ ସଦା ମୁରବିଙ୍କ କଥା
ନ ଥିଲା କାହାର ମାନ.
ନିଜ ହାତେ ନିଜେ ଚଉଦ ପାଆରେ
ନେଇ ମୁରବିଙ୍କ ସ୍ଥାନ ।
ଫିଟୁ ନାହିଁ ଏବେ ଟୁଙ୍ଗି ତାଲା କେବେ
ନାହାନ୍ତି ପୁରୁଣା ଲୋକ.
ଗହଳିରେ ପୂର୍ଣ୍ଣ କୋଠ ଘର ମାନ
ବେହୋଲ ଯୁବକ ଯାକ ।।