ମଦ ମୋର ପ୍ରାଣ ସଖା (ରମ୍ୟ ରଚନା)
ମଦ ମୋର ପ୍ରାଣ ସଖା (ରମ୍ୟ ରଚନା)


କେହି ମୋତେ ଭଲ ନପାଆନ୍ତୁ ପଛେ
ଜଣେ ମୋର ଅଛି ଏକା,
ଯିଏ ଯେତେ ପୁଣି ଦେଉଥାନ୍ତୁ ଧୋକା
ସେ କରେ ମୋ ମାନ ରକ୍ଷା,
ଏ ଭବ ସାଗରୁ ପାରି କରିବାକୁ
ସେ ଅଟେ ପରା ନଉକା,
ମଦ ମୋର ପ୍ରାଣ ସଖା।୦।
ମଦ ମୋ ଜୀବନ ମଦ ମୋର ଧନ
ମଦ ମୋର ପ୍ରାଣ ମିତ,
ସ୍ତ୍ରୀ ପିଲା ପଛେ ହେଇଯାନ୍ତୁ ପର
ଧରିଥିବି ମଦ ହାତ,
ନାଲିପାଣି ଟିକେ ପେଟେ ନ ପଡ଼ିଲେ
ଅଣ୍ଟାରେ ପଶେ ମୋ ରକା,
ମଦ ମୋର ପ୍ରାଣ ସଖା।୧।
କ'ଣ ଫୁଟା ମଦ ମୋ ସଖା ଗୋବିନ୍ଦ
ବେକମୋଡା ମୋ ରାଧିକା,
ଠିପିଖୋଲା ଦେଶୀ ବିଦେଶୀ ରଅମ
ମହୁଲୀ ମୋହର କକା,
କେରାଣ୍ଡି ଶୁଖୁଆ ପୋଡା ନ ମିଳିଲେ
ଖଜୁରୀ ତାଡିଟା ଫାଙ୍କା
ମଦ ମୋର ପ୍ରାଣ ସଖା।୨।
ଆସକାଫର୍ଟି ମୋ ହୃଦୟର ସାଥୀ
ବ୍ରାଣ୍ଡି ମୋ ଫୁଲେଇ ଶାଳୀ,
ହାଣ୍ଡିଆ ଚାଖଣା ଚଟପଟି ସିନା
ଆଖି ମାରୁଛି ଚାଉଳୀ,
ମଦ ମୋର ଭାଇ ଫୁଲୁପୁଟି ମାଛ
ମୁହିଁ ଅଟେ ମାଛରଙ୍କା,
ମଦ ମୋର ପ୍ରାଣ ସଖା।୩।
ପାଦ ମୋର ଟଳମଳରେ ମୁକୁନ୍ଦ
ଚଉଦ ଭୂବନ ଦିଶେ,
ଛେଳିକି ଭାବୁଛି ଷଣ୍ଢରେ ସଙ୍ଗାତ
ଦିନକ ଲାଗୁଛି ମାସେ,
ନିଶା ମୋ ଛାଡ଼ିଲେ ଶୀତୁଆ ଲାଗୁଛି
ଘୋଡେ଼ଇ ଶୁଏ ମୁଁ ଅଖା,
ମଦ ମୋର ପ୍ରାଣ ସଖା।୪।
ପିଇଦେଲେ ମଦ ମୁଁ ସ୍ଵର୍ଗର ଇନ୍ଦ୍ର
ମାଇପେ ଦିଶନ୍ତି ରମ୍ଭା,
ପାଟିରୁ ମୋ ବେଦ ହୋଇଲେ ନିର୍ଗତ
ସ୍ତ୍ରୀ ହୋଇଯାଏ ଦୁର୍ଗା,
ଝାଡ଼ୁ ପାହାର ମୋ ପିଠିରେ ଉଡାଏ
ସେବେଳେ କେ ଦିଏ ଦେଖା?
ମଦ ମୋର ପ୍ରାଣ ସଖା।୫।
ନିଶାରେ ମୁଁ ଦିନେ ଜାଣିପାରିଲିନି
ସାବି ଘରେ ପଶିଗଲି,
ନିଜ ସ୍ତ୍ରୀ
ଭାବି ଭିଡି ଧରି ତାକୁ
କିସ୍ ଦିଟା ଦେଇଦେଲି,
ହଠାତ୍ ପିଠିରେ ଗୋଇଠା ବାଜିଲା
ଦେଖିଲି ତା 'ସ୍ଵାମୀ ଶୁକା।
ଖୁଣ୍ଟଟାରେ ବାନ୍ଧି ଦେଲାମୋତେନାଦି
କେହି କରିଲେନି ରକ୍ଷା।
ମଦ ମୋର ପ୍ରାଣ ସଖା।୬।
ବେଇମାନି ମୋତେ ଅନେକ କଲେଣି
ମଦ କେବେ କରିନାହିଁ,
ତା'ଧରମ ସଦା ପାଳନ କରୁଛି
ନିଶାରେ ମୋତେ ପକାଇ,
ଗାଁ ଦାଣ୍ଡ ବାଟ ମୋ ପଲଙ୍କ ଖଟ
ଶୁଏ ନ କରି ଆଶଙ୍କା,
ମଦ ମୋର ପ୍ରାଣ ସଖା।୭।
କିଏ କହେ ପୁଣି ଘୋଡା ମଦୁଆଟା
ଶବ ଭଳି ଅଛି ପଡ଼ି,
କେ କହେ ଇଜ୍ଜତ ସାରୁଛି ଏଇଟା
ଯାଆନ୍ତାକି ସତେ ମରି,
କୁକୁର ଚାଟୁଛି ମୋ'ମୁହେଁ ମୁତୁଛି
ନାହିଁ ମୋର କିଛି ଦକା,
ମଦ ମୋର ପ୍ରାଣ ସଖା।୮।
ମଦରେ ସକାଳୁ ନ ଗାଧେଇବି ଯଦି
ମିଳେନା ମୋତେ ଆନନ୍ଦ,
ମଦ ମୋ ପବିତ୍ର ଗଙ୍ଗା ନଦୀ ନୀର
ମଦଟି ମୋର ଔଷଧ,
ଯେ ପିଏନା ମଦ ତା' ବଅଁଶ ଗଧ
କୋଉ ମର୍ଦ୍ଦରେ ସେ ଲେଖା?
ମଦ ମୋର ପ୍ରାଣ ସଖା।୯।
ମଦ ଭାଇ ଗୋଟେ ଏମିତି ଜିନିଷ
ଏକା କେବେ ପିଇବନି,
ସାଙ୍ଗ ସହ ପେଗ୍ ପେଗ୍ ମାରୁଥିଲେ
ସେ ମଜା ଭୁଲି ହେବନି,
ଘରେ ପଛେ ମିଳୁଥାଉ ପୁରସ୍କାର
ସ୍ତ୍ରୀର ବେଲଣା ପଟା,
ମଦ ମୋର ପ୍ରାଣ ସଖା।୧୦।
ଅନେକ ବୁଝାନ୍ତି ମଦ ପିଇନାରେ
କ୍ୟାନ୍ସର ହେଇଯିବ,
କରୋନା ଭଳିଆ ଡେଞ୍ଜର ରୋଗଟା
ତୋତେରେ ମାଡି ବସିବ,
ସେହିଭଳି ମୋତେ ଲାଗିଲାଣି ଏବେ
ମଦ ଆଉ ପିଇବିନି,
କେମିତି ଛାଡ଼ିବି ମୋ ପ୍ରିୟ ଜିନିଷ
ବୁଦ୍ଧି ବାଟ ତ ଦିଶୁନି,
ମଦ ପିଇବିନି ଦୁଧ ମୁଁ ପିଇବି
ଯାଉ ପଛେ ଯେତେ ଟଙ୍କା,
ତେଣୁ, ଦୁଧ ମୋର ପ୍ରାଣ ସଖା।୧୧।