ବାପା ମୁଁ ବାହା ହେବି
ବାପା ମୁଁ ବାହା ହେବି


ବାପା ତୁମେ ଆଉ ବିଳମ୍ବ କରନି
ବାହା ଦେଇ ଦିଅ ମୋତେ
କାମ ଦାମ କିଛି ପାରୁ ନାହିଁ ବୋଉ
ଡାକେ ମା ବାପା ରାତେ ।
ଘରକୁ ଖୋଜିବ ଲକ୍ଷ୍ମୀ ପରି ବୋହୁ
ଭୋରୁ ଛାଡିବ ଶେଯ
ରାନ୍ଧି ବାଢୁ ଥିବ ସ୍ବାଦିଷ୍ଟ ରନ୍ଧନ
ବଞ୍ଚିଥିବ ଖାଇ ପେଜ ।
ନିଜ ଦେହ ପ୍ରତି ଧ୍ୟାନ ନଦେଇଣ
ସେବା କରୁ ଥିବ ନିତି
ଯନ୍ତ୍ର ମାନବର ରୂପକୁ ନେବ ସେ
ମନରେ ନକରି ଭୀତି ।
ଛିଡ଼ା ଫଟା ଶାଢ଼ୀ ପରିଧାନ କରି
ଭାବୁ ଥିବ ପାଟ ବସ୍ତ୍ର
ଘର ବିପଦରେ ହାତରେ ଧରିବ
ପନିକି ବେଲଣା ଅସ୍ତ୍ର ।
ସକଳେ କୁହନ୍ତି ଡେଙ୍ଗା ଝିଅ ହେଲେ
ମୁଣ୍ଡରେ ବସିବ ଆସି
ମୋର ହିତ ପାଇଁ ଲାଗିବନି ଜମା
ଉଠା ଲେଶେଣି କି ରଶି ।
ମୋଟି କନ୍ୟା ଯେବେ ଦେଖିବ ବାପା ହେ
ଖୁସି ହେବ ମନ ମୋର
ଭାରି ଜିନିଷକୁ ଉଠାଇବା ପାଇଁ
ହେଉ ଥିବ ଆଗଭର ।
କାଳି ଝିଅ ହେଲେ ଚଳି ଯିବ ବାପା
ଅନ୍ଧକାରେ ଯିବ ମାଡି
ଚୋର ନିଶାଚର ସମ୍ମୁଖେ ପଡ଼ିଲେ
ଭୟରେ ଛାଡିବେ ରଡ଼ି ।
ହୀରା ମୁକ୍ତା ସମ ଚିକିମିକ୍ ହେଲେ
ପରଖି ଦେଖିବ ଥରେ
ଫେସିଆଲ ମୁହେଁ ଦୁଇ ମିନିଟ୍ରେ
ବାନ୍ଧି ନେବ ନିଶ୍ଚେ ମୋହେ ।
ସାଧାରଣ ଏକ ସୁଶୀଳ ସୁକନ୍ୟା
ଯଦି ମିଳି ଯିବ ତୁମେ
ଟଙ୍କା ପଇସାକୁ ଖାତିରି ନକରି
କହିବ ବୋଉର କାନେ ।
ଇଜ୍ଜତ ମୋହର ବଞ୍ଚାଇବା ପାଇଁ
ଜାଣି ଥିବ ଇଙ୍ଗିରାଜୀ
ଏମିତି ଝିଅକୁ ବାହା ଦେଲେ ବାପା
ହୋଇବି ନିଶ୍ଚୟେ ରାଜି ।