ବାହୁଡ଼ା ଯାତ
ବାହୁଡ଼ା ଯାତ
ବାହୁଡ଼ା ଯାତ,
ମୋତେ ଲାଗେ ଅଦ୍ଭୁତ !!
କିଏ ପାଏ ଦୁଃଖ,
କିଏ ହୁଏ ଆନନ୍ଦିତ ॥
ସକାଳ ସୂରୁଜ
ସଞ୍ଜରେ ଅସ୍ତମିତ ।
ଖୁସିରେ ଫେରେ
ପକ୍ଷୀ ତା ମା ସହିତ ॥
ଗାଁ ଦାଣ୍ଡରେ
ଗୋରୁ ଫେରନ୍ତି ହୋଇ ଏକତ୍ରିତ ।
ଛୁଆ ଫେରେ ପଢା ସାରି,
ସଙ୍ଗେ ଥାନ୍ତି ମିତ ॥
କାହ୍ନୁ ଯେବେ ବାହୁଡ଼ିବାରେ
କରେ ବିଳମ୍ବିତ ।
ଯଶୋଦା ମା ର ମନ
ହୁଏ ଆତଙ୍କିତ ॥
ନଅ ଦିନ ଯାତ୍ରା ସାରି
ଯେବେ ବାହୁଡ଼ନ୍ତି କାଳିଆ ସାଆନ୍ତ ।
ଝୁରେ ଗୁଣ୍ଡିଚା
ଆଉ ଶ୍ରୀମନ୍ଦିର ଉତ୍ଫୁଲ୍ଲିତ ॥
ବେଣୁପାଣି ଥାନ୍ତି
ଯେବେ ଗୋପୀ ସହିତ ।
ଅପେକ୍ଷା କରି ରାଧା
ହୋଇ ପଡ଼ନ୍ତି ଚିନ୍ତିତ ॥
ବିବାହ ପରେ
ଝିଅ ଛାଡ଼ି ଚାଲିଯାଏ ଅତୀତ ।
ନବ ବଧୂ
ବାପ ଘର ଯିବା ପାଇଁ ହୁଏ ଉଲ୍ଲସିତ ॥
ସିପାହୀ ଯେବେ
ହୁଅନ୍ତି ଦେଶ ପାଇଁ ସମର୍ପିତ ।
ପତ୍ନୀ ବାଟ ଚାହିଁରହିଥାଏ;
ଆଉ ଲୁହେ ଭିଜୁଥାଏ ଦୁଇ ନେତ୍ର ॥
କର୍ମଚାରୀ ଯେବେ
ଚାକିରି ଜୀବନୁ ନିଏ ଅବ୍ୟାହତ ।
ଭାବେ ସେ
ସମୟ କରିବ କିପରି ଅତିବାହିତ ॥
ଗୃହସ୍ଥ ଜୀବନ
ତ୍ୟାଗ କରି ତଥାଗତ ।
ସାରା ସଂସାରକୁ
ଜ୍ଞାନରେ କଲେ ଆଲୋକିତ ॥
ଜୀବ ଚାଲିଗଲେ
ପରିବାର ହୁଏ ହନ୍ତସନ୍ତ ।
ମା କାନ୍ଦୁଥିବା ବେଳେ
ଯମ ଦେଖାଏ ଦାନ୍ତ ॥