STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଶବ୍ଦ ଅକ୍ଷରଙ୍କ ହରତାଳ

ଶବ୍ଦ ଅକ୍ଷରଙ୍କ ହରତାଳ

1 min
152

ଏକଦିନେ ଶବ୍ଦ ଅକ୍ଷର‌ ଯେତେକ

   ହୋଇଗଲେ ଏକଜୁଟ 

ମା'ସରସ୍ଵତୀଙ୍କ ଦୁଆରେ ପହଞ୍ଚି

  କରିଦେଲେ ଧର୍ମଘଟ।


ଲିଖିତ ଆକାରେ ମା'ବିଣାପାଣୀଙ୍କୁ

  ଅଭିଯୋଗ ଜଣାଇଲେ 

ଆମ ଦୁଃଖ ମାଗୋ ଦୂର କରିଦିଅ 

   ପଡୁଅଛୁ ପାଦତଳେ।


ଆମେ ଯେତେ ଶବ୍ଦ ଅକ୍ଷରଗୁଡିକ

   ମୁକ୍ତ‌ ଚଢେଇଙ୍କ‌ ଭଳି 

ମୁକ୍ତ ଆକାଶରେ ସୁଖେ ଉଡୁଥାଉ

   ନିଜର କର୍ମ ଆଦରି‌।


କ‌ଅଣ ପାଇଁ କି ଆମରି ମଧ୍ୟରୁ

   ଭଲ ଶବ୍ଦ ବାଛି ଆଣି 

ତୁମ ବରପୁତ୍ର କବି ଓ ଲେଖକ

   ବନ୍ଦୀକରି‌ ରଖିଲେଣି।


ଶବ୍ଦ ଛନ୍ଦିବାନ୍ଧି‌ ହୋଇଗଲେ କବି

   ନାଆଁ ଯେତେ ଅରଜିଲେ 

ଆହୁରି ଅନେକ ଲେଖନୀ ଚଳେଇ

   ଆମ ପଛେ ପଡିଗଲେ।


ବୁଡ଼େଇ ଦେଲେଣି ବ‌ଅଁଶ ଆମର  

   ବାନ୍ଧିଲେଣି ଭାବଜାଲେ 

ବନ୍ଦୀହୋଇ‌ ଅଣନିଃଶ୍ୱାସୀ ହେଲୁଣି

  ତାଙ୍କ ହୃଦ କାରାଗାରେ।


କରୋନା ଭୟରେ ଯେମିତି ମଣିଷ

  ଘର କୋଣେ‌ ଲୁଚୁଥିଲେ 

ଆମକୁ ବି ଆଜି ଲ‌ଅକ୍ ଡାଉନ୍

  ମାନିବାକୁ ଏଠି ପଡେ।


ଆମର ଏ ଦାବୀ ମାନ ବାଗ୍ଦେବୀ  

  କର କିଛି ପ୍ରତିକାର 

ନୋହିଲେ ଧାରଣା ଦେଇ ମରିଯିବୁ‌

  ନିନ୍ଦା ହେବ ମା' ତୁମର।


ସ୍ଵୟଂ ଜ୍ଞାନଦାତ୍ରୀ ଯେ ବିଶ୍ଵଭାରତୀ

  ବୁଦ୍ଧି ବିଦ୍ୟାର ଭଣ୍ଡାର 

କହିଲେ ବୁଝେଇ ହେ ଶବ୍ଦ ଅକ୍ଷର

  ତୁମେମାନେ ଥୟ ଧର।


ତୁମ୍ଭଙ୍କୁ ନେଇ ତ ସାହିତ୍ୟ ବଞ୍ଚିଛି

  ସମାଜର ହିତ ପାଇଁ 

ପରହିତ‌ ପାଇଁ ଦିଏ ଯେ ଜୀବନ‌

  ତା'ଠାରୁ‌ ବଡ଼ କେ ନାହିଁ।


ବନ୍ଦୀ ବୋଲି ତୁମେ ଭାବନି ନିଜକୁ

  ତୁମେ ଭାବର ଆବେଗ 

ବାଟବଣା ଏଇ ଅନ୍ଧ ମଣିଷକୁ

  ଦେଖାଉଛ ନୂଆ ଦିଗ।


ତେଣୁ ମୋର ପ୍ରିୟ ହେ ଶବ୍ଦ ଅକ୍ଷର

  ତୁମକୁ ଆଧାର କରି 

କବି ଲେଖିଯାଏ‌ ମନର ଭାଷାକୁ

  ଲେଖନୀକୁ ତାର ଧରି।


ମା' ବୀଣାପାଣିଙ୍କ ପଦିଏ କଥାରେ

  ତାଙ୍କ ମନ ବୁଝିଗଲା 

ଶବ୍ଦ ଅକ୍ଷରଙ୍କ କରତାଳିମାଡେ‌

  ସେହି ସ୍ଥାନ କମ୍ପିଗଲା।


ହରତାଳ ଭାଙ୍ଗି ମା'ଙ୍କ ଶ୍ରୀପଦେ

  ପ୍ରଣିପାତ ଜଣାଇଲେ 

ସାହିତ୍ୟର ଜୟ କବିଟିର‌ ଜୟ

  ସ୍ଲୋଗାନ ପକେଇ‌ ଗଲେ।


ଦୂରୁଁ ଏହା ଦେଖି ଲେଖିଲା ଅପର୍ତ୍ତି

  ମା'ବିଣାପାଣୀଙ୍କୁ ଧ୍ୟାୟୀ 

ହେ ଶବ୍ଦ ଅକ୍ଷର କରିବନି ପର

  ପାଖେ ପାଖେ ଥିବ ରହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy