ଅନ୍ତର୍ଦାହ
ଅନ୍ତର୍ଦାହ
ଅନ୍ତର୍ଦାହ
ଆଭାକାନ୍ତ ମହାନ୍ତି
କବି ତା'ର ମାନ୍ୟ ନପାଉ ପଛକେ
ଦୁଃଖ ନାହିଁ ଦୁଃଖ ନାହିଁ,
କବିତାର ମାନ୍ୟେ ରହିଥାଉ ନିଶ୍ଚେ
ସଂସ୍କୃତିର ଘନ ଛାଇ !
ବିଧିବଦ୍ଧ ଭାବେ ଋଦ୍ଧିମନ୍ତ ଯଦି
ଐତିହ୍ୟର ପରାକାଷ୍ଠା,
ତାକୁ ତ୍ୟାଗି, ପର-ପ୍ରୀତିରେ, ନିନ୍ଦନ
ନୁହେଁ ପାରିବାପଣଟା ?
ସଉକ କବିତା ସାରିଛି ସଂସ୍କୃତି
ଶତାବ୍ଦୀଟା ଗଲା କାନ୍ଦି,
କରନା କରନା କ୍ଷୟରୋଗେ ଆଉ
ନବଶତାବ୍ଦୀକୁ ବନ୍ଦୀ !
ଛନ୍ଦ ଅପାରଗେ ମନ୍ଦମତି ଧରି
ହୀନସ୍ୱାର୍ଥେ ରୁହ ମଜ୍ଜି,
ଜାଣି କୁଳ ପରମ୍ପରା, ପୁରସ୍କାର
ପାଇଁ ପାସୋରୁଛ ଆଜି !
ମାନକୁ ନରଖି ପଦବୀର ମାନ୍ୟେ
ମାନକୁ ଭାଜନ ହେଲ,
ମୂଳତତ୍ତ୍ୱ ଭୁଲି ହେ ଅଭାଗା କୁହ
କବିତାକୁ କିବା ଦେଲ ?
ଏ ଐତିହ୍ୟ, ଯତିପାତକୁ କବିତା
କହିଛି ଆବହମାନୁ,
ଖଣ୍ଡବାକ୍ୟ ଲେଖି କବିପଣ-ଭୋଗୀ
ହେଉଛ କେଉଁ କାରଣ
ୁ ?
ସେ ଯୁଗରେ କିଆଁ କାଆଁଭାଆଁ କବି
ଜାଳିଲେ କାବ୍ୟ-ମଶାଲ,
ବିଂଶ ଶତାବ୍ଦୀର ଅଧାରେ କେମିତି
ରଚିଲ କୁହୁକ ଖେଳ ?
କବିତା କପାଳେ ସରସ୍ୱତୀ କିବା
ଲେଖିଲେ ପର୍ଯ୍ୟାୟ ନୂଆ,
ଗଳିକନ୍ଦି ହୋଇ ଜନମନ୍ତି କବି
ଯେସନେ ଘୁଷୁରିଛୁଆ !
କହିଲେ ତ କୁଳ କୁଟୁମ୍ବକୁ ଲାଜ
ନକହିଲେ ହୃଦ ଜଳେ,
କାହିଁକି ଦେଲ ମା' ଜନମ, କବିତା-
ଯୁଗ ବୁଡ଼ିବାର ବେଳେ ?
ଘରର ହେଉନି, ଘାଟର ହେଉନି
ଧୋବାର କୁକୁର ପ୍ରାୟ,
ନଲେଖିଲେ ଟିକେ ଶାନ୍ତି ପାଉନାହିଁ
ଇଏ କି ବିଚିତ୍ର ମୋହ ?
କୃପା କରି ମାତା ତୋ ଚମତ୍କାରିତା
ଦେଖାଅ ହେଲାଣି ବେଳ,
ରାଜା ପାଶେ ପୁଅ, ରାଣୀ ପାଶେ ଝୁଅ
ଦୀକ୍ଷିତ ଗୁଣୀଙ୍କ ଦଳ !
ପରପଣେ ଅଧାଯୁଗ ପାରିହୋଇ
ଏ ଯୁଗେ ମାରୁଛି ଆଖି,
ମୂଳ ତ ଦେଖିଛୁ, ନିର୍ମୂଳ ଦେଖିଯା
ଭବିଷ୍ୟେ ରହିବୁ ସାକ୍ଷୀ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****